କନକ ବ୍ୟୁରୋ: କ୍ରିକେଟର ମୈଦାନକୁ ରାଜନୀତି ଇନିଂସ ଆରମ୍ଭ କରିବେ ଜୁନିୟର ସିନ୍ଧିଆ । କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ପୁଅ ମହାଆର୍ୟନ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ । ଏହି ଭେଟ ସହ ସିନ୍ଧିଆ ରାଜପରିବାରରେ ଯୁବରାଜଙ୍କ ରାଜନୀତିରେ ଏଣ୍ଟ୍ରି କଥା ଆଲୋଚନାର କେନ୍ଦ୍ର ପାଲଟିଛି ।
ଏବେ ଗ୍ୱାଲିଅରରେ ତାଙ୍କର ଲଞ୍ଚିଂ ହୋଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ମହାଆର୍ୟନ ସିନ୍ଧିଆ ଗ୍ୱାଲିୟର ଡିଭିଜନ କ୍ରିକେଟ ଆସୋସିଏସନନର ନୂଆ କାର୍ଯ୍ୟକାରୀ ଉପଧ୍ୟକ୍ଷ ହୋଇଛନ୍ତିି । କୌଣସି ସଂସ୍ଥା କିମ୍ବା ସଂଗଠନରେ ଏହା ତାଙ୍କର ପ୍ରଥମ ଦାୟିତ୍ୱ । କୁହାଯାଉଛି ଯେ, ମହାଆର୍ୟମାନ କ୍ରିକେଟ ପିଚରୁ ନିଜର ରାଜନୀତି ଇନିଂସକୁ ଆଗକୁ ବଢାଇବେ ।
ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ୍ରେ ସିନ୍ଧିଆ ରାଜପରିବାରର ଦବଦବା ରହିଆସିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ କ୍ରିକେଟରେ ବେଶ ରୁଚି ରଖନ୍ତି । ତାଙ୍କର ହସ୍ତକ୍ଷେପରେ ଗ୍ୱାଲିୟରରେ ଏକ ଭବ୍ୟ କ୍ରିକେଟ ଷ୍ଟାଡିୟମର ନିର୍ମାଣ ଜାରି ରହିଛି । ମାର୍ଚ୍ଚ ୨୭ ତାରିଖରେ ଗ୍ୱାଲିଅର ଡିଭିଜନ କ୍ରିକେଟ ଆସୋସିଏସନର ଏଜିଏମ୍ ହୋଇଥିଲା । ଏଥିରେ ଜିଡିସିଏସ୍ ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରେ ନୂଆ କାର୍ଯ୍ୟକାରିଣୀକୁ ନେଇ ଚର୍ଚ୍ଚା ହୋଇଥିଲା ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଲିୟର ଡିଭିଜନ୍ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲେ । ନିକଟରେ ନିଜେ ଏହି ପଦ ଛାଡିବାକୁ ଘୋଷଣା କରିଥିଲେ ମାହାରାଜାଙ୍କ ସ୍ଥାନରେ ପ୍ରଶାନ୍ତ ମେହେତା ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରାଜପରିବାର ଯୁବରାଜ ନିଜର ସାର୍ବଜନୀନ ଜୀବନ କ୍ରିକେଟରୁ ଆରମ୍ଭ କରିଛନ୍ତି । କୁହାଯାଉଛି ଏହାପରେ ସେ ଅଧିକ ସକ୍ରିୟ ହୋଇପାରନ୍ତି ।