ପେନସିଲ୍ ମୁନରେ ମହାଦେବ : ପେନସିଲ୍ ମୁନରେ ୦.୫ ଇଞ୍ଚ୍ ର ଶିବଲିଙ୍ଗ ପ୍ରସ୍ତୁତ କରି ବାଃ ବାଃ ସାଉଁଟିଲେ ଜଟଣୀର ଯୁବ କଳାକାର

476

ଓଡ଼ିଆ କଳାକାରଙ୍କ ହାତର ଯାଦୁ ନିଆରା । ଏହି କଳା ଏବଂ କଳାକାରଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କାଠ ପଥରକୁ ଛୁଇଁଲେ ସେଥିରୁ ଝଲସି ଉଠୁଛି ସୁନ୍ଦର ସୁନ୍ଦର ମୂର୍ତ୍ତି । ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରି କୋଣାର୍କ ମନ୍ଦିର ସବୁଠି ଭରି ରହିଛି ଓଡ଼ିଆ କଳାକାରଙ୍କ ହସ୍ତକଳା । ସେ କାଚ ହେଉ ଅବା ପଥର , ସାବୁନ୍ ହେଉ କି ପେନସିଲ୍ ମୁନ ସବୁଠି ସୃଜନର ପରାକାଷ୍ଠାକୁ ଜୀବିତ ରଖେ କଳାକାର । ଏହିଭଳି ଜଣେ ନିଆରା କଳାକାର ହେଉଛନ୍ତି ଏଲ . ଇଶ୍ୱର ରାଓ ।

ମହାଶିବରାତ୍ରି ଉପଲକ୍ଷେ ଓଡିଶାର ପ୍ରସିଦ୍ଧ କଳାକାର ଏଲ ଈଶ୍ୱର ରାଓ ପେନସିଲ ମୁନରେ ଶିବଲିଙ୍ଗ ନିର୍ମାଣ କରିଛନ୍ତି । ଏହି ଶିବଲିଙ୍ଗର ଲମ୍ବ ୦.୫ ଇଞ୍ଚ । ଈଶ୍ୱର ଖୋର୍ଦ୍ଧା ଜିଲ୍ଲା ଜାନତୀ ଗାଁର ବାସିନ୍ଦା । ଶିବଲିଙ୍ଗ ତିଆରି କରିବା ପାଇଁ ଈଶ୍ୱରଙ୍କୁ ଦୁଇଦିନ ସମୟ ଲାଗିଛି । ସେ କୁହନ୍ତି ଏଭଳି କାରୁକାର୍ୟ୍ୟ ପାଇଁ ଏକଗ୍ରତାର ନିହାତି ଆବଶ୍ୟକ । ଏହା ପୂର୍ବରୁ ମଧ୍ୟ ସେ ବିଶ୍ୱକପ୍ ଟ୍ରଫିକୁ ତେନ୍ତୁଳି ମଞ୍ଜିରେ ତିଆରି କରିଥିଲେ । ଏହା ବ୍ୟତିତ ଏହି କଳାକୁ ଆଗକୁ ନେବାପାଇଁ ‘ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ’ନାମରେ ଗୋଟିଏ ସ୍କୁଲ ଖୋଲି ବର୍ତ୍ତମାନ ନିଜ ଅଞ୍ଚଳର ପ୍ରାୟ ୧୨୦ ଜଣ ପିଲାଙ୍କୁ ମାଗଣାରେ ଏହି କଳାକୃତି ଶିକ୍ଷା ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୱାଲର୍ଡ଼ ରେକର୍ଡ଼, ଇଣ୍ଡିଆ ବୁକଅଫ ରେକର୍ଡ଼, ଇଣ୍ଡିଆ ୟଙ୍ଗ ଆଚିଭର ରେକର୍ଡ଼, ୱ୍ୱାଣ୍ଡର ବୁକ ଅଫ ରେକର୍ଡ଼, ମିରାକିଲ ୱାର୍ଲଡ଼ ଅଫ ରେକର୍ଡ଼ ଓ ଏସିସିଟି ୱାର୍ଲଡ଼ ଅଫ ରେକର୍ଡ଼ ପ୍ରଭୁତି ପାଇ ସାରିଥିଲେ ସୁଦ୍ଧା ସରକାରୀ ସହାୟତା ପହଞ୍ଚି ପାରିନି ତାଙ୍କ ପାଖରେ । ଯଦି ତାଙ୍କୁ ସରକାର ସହାୟତା ମିଳିପାରନ୍ତା ତେବେ ସେ ଏହି କଳାକୁ ବହୁ ଆଗକୁ ନେଇ ପାରନ୍ତେ ବୋଲି କୁହନ୍ତି ।

ଏତେ ସବୁ ରେକର୍ଡ଼ ସୃଷ୍ଟି କରିବା ପରେ ଏବେ ସେ ଗିନିଜ ବୁକ୍ ଅଫ୍ ରେକର୍ଡ଼ କରିବା ପାଇଁ ଚେଷ୍ଟା କରୁଛନ୍ତି ଓ ଉଦ୍ୟମ ଜାରି ରଖିଛନ୍ତି । ବୋତଲ ଭିତରେ କାଠପଥର ମଞ୍ଜି, ପେନସିଲ, ଗୁଆ ଆଦିରେ ବିଭିନ୍ନ କଳାକୃତି କରନ୍ତି ଏଲ.ଈଶ୍ୱର। ଏହି କାମ ତାଙ୍କ ପାଇଁ ଗୋଟିଏ ନିଶା ପାଲଟି ଯାଇଛି । କାଚ ବୋତଲ ଭିତରେ କାଠ, ପଥର, ହଳଦୀ, କୋଚିଲା, ଗଳିଗୁଆ, ସାବୁନ, ଖଡ଼ି ଓ ମାଟି ପ୍ରଭୃତିରେ ତିଆରି କରିଛନ୍ତି ବିଭିନ୍ନ ଆକୃତିର ଗଣେଷ, ତ୍ରିରଙ୍ଗା ପତାକା, ଇଣ୍ଡିଆ ଗେଟ, ନବକଳେବର ଛବି, ପ୍ରଭୃତି ।