ଆଃ କି ଦୃଶ୍ୟ… ଦେଖିଦେଲେ ପେଟ ପୂରିଯାଉଛି… ରଙ୍ଗୀନ ଆଲୁଅରେ ଝଲସୁଛି, ଜାଗର ଦୀପ ମନ ମୋହୁଛି…ଆକାଶ ଉପରୁ ଏମିତି ଦିଶୁଛି ଲିଙ୍ଗରାଜ ମନ୍ଦିର…

578

କନକ ବ୍ୟୁରୋ: ଆଶ୍ଚର୍ଯ୍ୟ କରୁଛି ଏକାମ୍ରକ୍ଷେତ୍ରର ଦୃଶ୍ୟ । ମନଲୋଭା, ଆକର୍ଷଣୀୟ, ଅତୁଳନୀୟ, ଅପୂର୍ବ, ଅବିଶ୍ୱସନୀୟ… ଏମିତି ଅୟୁତ ଅୟୁତ ଶବ୍ଦରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ଶୋଭାକୁ ବର୍ଣ୍ଣନା କଲେ ବି କମ ପଡିଯିବ । କାରଣ ଶିବରାତ୍ରୀ ପାଇଁ ସଜେଇ ହୋଇଥିବା ଲିଙ୍ଗରାଜଙ୍କ ମନ୍ଦିରର ଅପରୁପ ସୌନ୍ଦର୍ଯ୍ୟ ଯିଏ ନିଜ ଆଖିରେ ନଦେଖିବ ସିଏ ବିଶ୍ୱାସ କରିପାରିବନି ।

ଜାଗର ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଆଉ ଦୀପ ଆଲୋକରେ ଝଲସୁଥିବା ମନ୍ଦିର ପରିସରର ଦୃଶ୍ୟ ସ୍ୱର୍ଗପୁରୀର ଭ୍ରମ ସୃଷ୍ଟି କରୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଆକାଶ ଉପରୁ ପ୍ରଭୁଙ୍କ ମନ୍ଦିର ଆଉ ମନ୍ଦିର ପରିସରର ଭକ୍ତଙ୍କ ଦୀପ ଦାନର ଦୃଶ୍ୟ ବେଶ ଭାବଭରା ଥିଲା ।

ତେବେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ପାଇଁ, ମନ୍ଦିରର ଶୋଭା ବର୍ଦ୍ଧନ କରିବା ପାଇଁ ରାଜ୍ୟ ସରକାର ବଡ ପ୍ୟାକେଜ ଘୋଷଣା କରିଥିଲେ । ମନ୍ଦିର ଚାରି ପାଖରୁ ଉଚ୍ଛେଦ କରିବା ସହ ଉଠା ଦୋକାନକୁ ହଟାଇ ଉକ୍ତ ସ୍ଥାନରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ କରାଯାଇଛି । ଯାତ୍ରୀମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଡ୍ ତିଆରି କରିବା ସହ ଉଚ୍ଛେଦସ୍ଥଳୀରେ ବିଭିନ୍ନ ଫୁଲଗଛ ଲଗାଇ ମନ୍ଦିର ଚାରିପାଖର ଦୃଶ୍ୟକୁ ବଢାଯାଇଛି । ଯାହା ଜାଗର ଦିନ ଆକାଶ ଉପରୁ ଆକର୍ଷଣୀୟ ଦିଶୁଛି ।

ସେପଟେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି । ପରମ୍ପରା ଅନୁଯାୟୀ ମହାଦୀପ ଦର୍ଶନ କରିବା ପରେ ଉପବାସ ଭାଙ୍ଗିବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଭକ୍ତମାନେ ମହାଦୀପ ଦର୍ଶନ କରିସାରିଛନ୍ତି । ଏହି ସମୟରେ ଲିଙ୍ଗରାଜ ମନ୍ଦିରରେ ହରିବଲ ଓ ହୁଳହୁଳି ଧ୍ୱନୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।