କନକ ବ୍ୟୁରୋ : ଆସନ୍ତାକାଲି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ସଜାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସିଂହଦ୍ବାରକୁ ଅଧିକ ଆକର୍ଷଣୀୟ କରିବାକୁ ବଡ଼ ଯୋଜନା କରାଯାଇଛି। ମନ୍ଦିର ରଙ୍ଗ କାମ ସରିଛି । ସିଂହଦ୍ବାରକୁ ଫୁଲରେ ସଜେଇ ଦିଆଯିବ । ଏଥର ପଡ଼ୋଶୀ ରାଜ୍ୟର ଫୁଲରେ ସିଂହଦ୍ବାରକୁ ସଜେଇ ଆକର୍ଷଣୀୟ କରାଯିବ । ପ୍ରତିବର୍ଷ ଭଳି ଏଥର ମଧ୍ୟ ଭୁବନେଶ୍ବର ଫ୍ଲୋରିଷ୍ଟ୍ ଆସୋସିଏସନ୍ ପକ୍ଷରୁ ସିଂହଦ୍ବାରକୁ ସଜେଇ ଦିଆଯିବ ବୋଲି ସଂଘର ସଭ୍ୟ ମିତେନ୍ଦ୍ର ସମର୍ଥା କହିଛନ୍ତି । ଏଏସ୍‌ଆଇ ପକ୍ଷରୁ ସିଂହଦ୍ବାର ପିତଳ କବାଟକୁ ସଫା କରାଯାଇଛି ଏବଂ ମନ୍ଦିରର ପ୍ରବେଶ ପଥ ଗୁମୁଟକୁ ରଙ୍ଗ କରାଯାଇଛି । ସେହିପରି ମନ୍ଦିର ଗର୍ଭଗୃହକୁ ରଙ୍ଗ କରାଯିବା ସହ ସେଠ‌ାରେ ସୁନ୍ଦର ଚାନ୍ଦୁଆ ବନ୍ଧାଯାଇଛି ।

Advertisment

ସେହିପରି ଏଏସ୍ଆଇ ପକ୍ଷରୁ ବାଇଶି ପାହାଚ ନିକଟରୁ ସିଂହଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍ ବନ୍ଧାଯାଇଛି । ଏଣେ ମନ୍ଦିର ସମ୍ମୁଖ ରାସ୍ତାରୁ ଗଙ୍ଗା ଯମୁନା ଛକ ପର୍ଯ୍ୟନ୍ତ ଛାମୁଣ୍ଡିଆ କରାଯାଇଛି । ଟାଣ ଖରାରୁ ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷା ଦେବାକୁ ଏହି ଛାମୁଣ୍ଡିଆ କରାଯାଇଛି । ମନ୍ଦିର ସମ୍ମୁଖସ୍ଥ ଫାଇବର୍‌ ସେଡ୍‌କୁ ସଫା କରାଯିବା ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ସୁବିଧାରେ ଧାଡ଼ିରେ ଯିବା ପାଇଁ ବାଉଁଶ ବନ୍ଧା ଯାଇଛି । ଏଣେ ବିଏମ୍‌ସି ପକ୍ଷରୁ ମଧ୍ୟ ସଫେଇ କରାଯାଉଛି । ବିଏମ୍‌ସି ଠିକା ସଂସ୍ଥା ମନ୍ଦିରକୁ ସଂଯୋଗ ସବୁ ରାସ୍ତା, ସବୁ ଛୋଟ ମନ୍ଦିର ପରିସରରେ ସଫେଇ କରୁଛି । ଏପରିକି ଠିକାଦାର କାମ ପାଇଁ ଗଦା କରି ରଖିଥିବା ବାଲି, ମାଟି ଆଦିକୁ ଉଠାଇନେଉଛନ୍ତି ।

ବଡ଼ କଥା ହେଉଛି, ମହାଶିବରାତ୍ରୀ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଓ ବାହାରେ ଏଥର ଅଧିକ ଲାଇଟ୍ ବ୍ୟବସ୍ଥା କରାଯାଇଛି । ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀରେ ଅଧିକ ଲାଇଟ୍ ଲଗାଯାଇଛି। ସେହିପରି ପୁଷ୍କରିଣୀ ଚାରିପଟକୁ ଆଲୋକ ମାଳାରେ ସଜେଇ ଦିଆଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ବବର୍ତ୍ତୀ ଅନ୍ୟ ସବୁ ଛୋଟ ମନ୍ଦିରରେ ସୁନ୍ଦର ଲିଚୁମାଳା ଲଗାଯାଇଛି । ଏଥିସହ ମନ୍ଦିର ନିକଟ ଗଛଗୁଡ଼ିକରେ ମଧ୍ୟ ରଙ୍ଗିନ୍ ଲାଇଟ୍ ଲଗାଯାଇଛି। ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଉପରେ ଆଲୋକମାଳା ଝଲସିଲାଣି ।

ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର୍‌ ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଦିନ ତମାମ୍‌ ଚାଲିବ । ସନ୍ଧ୍ୟା ୭ ଘଟିକାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ଭଜନ ସମାରୋହ ଚାଲିବ । ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି ।