ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି । ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ରେ ଉଠିବ ଜାଗର ଦୀପ ।

337

କନକ ବ୍ୟୁରୋ : ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି । ଏନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଟ୍ରଷ୍ଟବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୋର୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତଙ୍କ ସହ ଆଲୋଚନା କରାଯାଇ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ମହା ଶିବରାତ୍ରିରେ ଯେପରି ସବୁ ନୀତି ଶୃଙ୍ଖଳିତ ହେବ ସେନେଇ ଆଲୋଚନା ହୋଇଛି ।

ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମହା ଶିବରାତ୍ରି ପୂର୍ବ ରାତି ଅଢ଼େଇଟା ପରେ ମନ୍ଦିର ଖୋଲାଯାଇ ରାତି ୩ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବ । ଏହାପରେ ସାହାଣମେଲା ସକାଳ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ । ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ହୋଇ ପୁଣି ଅପରାହ୍‌ଣ ୩ଟା ୪୫ରୁ ୪ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ଏବଂ ମହାଦୀପ ଉଠିବା ପରେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ପୂର୍ବ ବର୍ଷରେ ନୀତି ବିଳମ୍ୱ ହୋଇଥିବାରୁ ଚଳିତ ବର୍ଷ ଯେପରି ଠିକଣା ସମୟରେ ଅର୍ଥାତ୍ ରାତି ୧୦ଟାରେ ମହାଦୀପ ଉଠିବ ସେନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ଅଧିକ ଭକ୍ତ ଆସିବା ସମ୍ଭାବନା ରହିଛି । ଏଣୁ ଅଧିକ ସଂଖ୍ୟକ ପୁଲିସ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି ।

ସେହିପରି ମନ୍ଦିର ସମ୍ମୁଖରେ ଖାଲି ଥିବା ସ୍ଥାନରେ ବାଲି ବିଛା ହେବ । ଏହା ଉପରେ କିପରି ଶୀଘ୍ର ଟାଇଲ ବିଛା ହେବ ସେନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ମନ୍ଦିର ଚାରିପଟେ ବିଶେଷ କରି ସିଂହଦ୍ବାର ସମ୍ମୁଖରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବା ସହ ଚାରିଆଡ଼େ ସିସିଟିଭି କ୍ୟାମେରା ଲଗାଯିବ । ଭକ୍ତଙ୍କ ଠିଆ ହେବା ପାଇଁ ମନ୍ଦିର ସମ୍ମୁଖରେ ଓ ପାଚେରି କଡ଼ରେ ଛାମୁଣ୍ଡିଆ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ମନ୍ଦିର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଏସିପି ଜୋନ୍‌-୨, ଅତିରିକ୍ତ ବିଏମ୍‌ସି କମିସନର ଅବନୀ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ସକରାରୀ ଓକିଲ, ବିଭିନ୍ନ ନିଯୋଗର ପ୍ରତିନିଧି ଓ ଟ୍ରଷ୍ଟ ବୋର୍ଡର ସଦସ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ରାଉତ ମନ୍ଦିର ସମ୍ମୁଖରେ ବୁଲି ଦେଖିଥିଲେ ।