କନକ ବ୍ୟୁରୋ: ମହାଶିବରାତ୍ରି ପାଳନ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର‌୍ୟ୍ୟାୟରେ ସୁଯୋଗ ରହିଛି। ପ୍ରଥମ ପର‌୍ୟ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର‌୍ୟ୍ୟାୟରେ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଓ ଶେଷ ଦଫାରେ ରାତି ୧୦ଟାରୁ ୧୧ଟା ପର‌୍ୟ୍ୟନ୍ତ ସାହାଣ ମେଲା ନୀତି ନିର୍ଘଣ୍ଟ ହୋଇଛି। ସକାଳ ସାହାଣ ମେଲା ପରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ହେବ।

Advertisment

୨ଟାରେ ଶ୍ରୀଭୁବନେଶ୍ବରଙ୍କ ସକାଳ ଧୂପ ହେବାକୁ ଥିବା ବେଳେ ୨ଟା ୪୫ରୁ ୩ଟା ୪୫ ଭିତରେ ଭୋଗ ମଣ୍ଡପ ହେବ। ସନ୍ଧ୍ୟା ୭ଟାରୁ ୭ଟା ୧୦ ମିନିଟ ପର‌୍ୟ୍ୟନ୍ତ ପହୁଡ଼ ହେବାକୁ ଥିବା ବେଳେ ୭ଟା ୩୦ରେ ଟେରା ଫିଟା ନୀତି ରହିଛି। ଶ୍ରୀଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ ରାତି ୮ଟା ୫୫ରୁ ୧୦ଟା ଭିତରେ ହେବାକୁ ଥିବା ବେଳେ ୧୦ଟା ରାତିରେ ମହାଦୀପ ଉଠିବା କାର‌୍ୟ୍ୟକ୍ରମ ରହିଛି। ରାତି ୧୧ଟା ୩୦ରୁ ୩ଟା ୩୦ ପର‌୍ୟ୍ୟନ୍ତ ଚାରି ପହର ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ (ମଙ୍ଗଳବାର)ଭୋର୍ ୩ଟା ୩୦ରୁ ସାଢ଼େ ୪ଟା ଭିତରେ ହରିହର ଭେଟ ନୀତି ରହିଛି। ୪ଟା ୩୦ରେ ବଡ଼ସିଂହାର ବେଶ ହେବା ସହ ୫ଟା ୧୫ ମିନିଟରେ ଶ୍ରୀଜିଉଙ୍କ ପହୁଡ଼ ନୀତି ରହିଛି।

କେଉଁ ମନ୍ଦିରରେ କେତେବେଳେ ଉଠିବ ମହାଦୀପ

ମହାପ୍ରଭୁ ଶ୍ରୀଭିମେଶ୍ୱ୍ୱର ମନ୍ଦିରରେ ରାତି ସାଢ଼େ ୧୦ଟାରେ ମହାଦୀପ ଉଠିବ। ଏନେଇ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି। ଭୋର୍ ୪ଟାରୁ ମଙ୍ଗଳ ଆଳତୀ କରାଯାଇ ୫ଟାରୁ ସାହାଣମେଳା ଦର୍ଶନ ଆରମ୍ଭ ହେବ। ଏହି ଉପଲକ୍ଷେ ଦିନତମାମ ସର୍ବସାଧାରଣଙ୍କ ଦର୍ଶନ ହେବ। ମଧ୍ୟାହ୍ନ ୧ଟାରୁ ୨ଟା ପର‌୍ୟ୍ୟନ୍ତ ପହୁଡ଼ ପଡ଼ିବ। ରାତି ୧୦ଟାରେ ମହାଦୀପ ଉଠିବା ପରେ କୋଠ ଭୋଗ ସର୍ବସାଧାରଣଙ୍କ ପାଇଁ ବଣ୍ଟନ କରାଯିବ। ବୈଠକରେ କମିଟିର ସଭାପତି ପୁରୁଷୋତ୍ତମ ସାହୁ, ଉପସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ସୂର‌୍ୟ୍ୟନାରାୟଣ ମିଶ୍ର, ଲୋକନାଥ ମହାପାତ୍ର, ଶିବ ନାରାୟଣ ରାୟ ପ୍ରମୁଖ ଭାଗ ନେଇଥିଲେ। ସାମନ୍ତରାପୁରସ୍ଥିତ ବାରୁଣେଶ୍ୱର ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଭୋର୍ ୫ଟାରୁ ସାହାଣମେଳା ଦର୍ଶନ ଆରମ୍ଭ ହେବ।

ଭାସ୍କରେଶ୍ୱର ମନ୍ଦିରରେ ସାଢ଼େ ୧୦ଟାରେ ମହାଦୀପ ଉଠିବ। ଏହି ଉପଲକ୍ଷେ ଶ୍ରୀଭାସ୍କରେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ରୋଟାରିଅନ୍ ସଞ୍ଜୟ ଚୌଧୁରୀ କହିଛନ୍ତି। କପିଳେଶ୍ୱର ମନ୍ଦିରରେ ସାଢ଼େ ୧୦ଟାରେ ଉଠିବ ମହାଦୀପ। ସେବାୟତମାନେ କପିଳେଶ୍ୱର ମଣିକର୍ଣ୍ଣିକା ପୁଷ୍କରିଣୀରୁ ୧୦୮କଳସ ପାଣି ନେଇ କପିଳନାଥଙ୍କ ଉପରେ ଲାଗି କରିବେ। ରାତି ସାଢ଼େ ୧୦ଟା ସୁଦ୍ଧା ଜଳ ଲାଗି ଶେଷ ହେବ। ଏହା ପରେ କପଳନାଥଙ୍କ ମନ୍ଦିରରେ ମହାଦୀପ ଉଠିବ। ଭକ୍ତମାନଙ୍କ ପାଇଁ ଅବଢ଼ା ବ୍ୟବସ୍ଥା କରାଯାଇଛି ବୋଲି ସେବାୟତମାନେ କହିଛନ୍ତି।