ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ : ମହାଅଷ୍ଟମୀରେ ଚାଲିଛି ଷୋଡଶ ଉପଚାର ପୂଜା

ଶାରଳାଙ୍କ ପୀଠରେ ରାତିରେ ହେବ ମାଆଙ୍କ ସୁନାବେଶ; ୧୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା

132

କନକ ବ୍ୟୁରୋ : ଆଜି ମହାମାୟାଙ୍କ ସପ୍ତମୀ ପୂଜା । ସମସ୍ତ ପୂଜା ମଣ୍ଡପ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । କରୋନା ମହାମାରୀ ଏଥରକ ବି ଭକ୍ତ ଓ ମାଙ୍କ ମଝିରେ ପ୍ରତିବନ୍ଧକ ସାଜିଛି । କୌଣସି ମଣ୍ଡପରେ ଭକ୍ତ ମାଆ ଜଗତଜନନୀଙ୍କ ଦର୍ଶନ କରିପାରିବେ ନାହିଁ । କିନ୍ତୁ ଭକ୍ତ ଓ ମାଙ୍କୁ ଯୋଡ଼ିବା ପାଇଁ ମଣ୍ଡପ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ପୂଜାର୍ଚ୍ଚନାର ସିଧା ପ୍ରସାରଣ କରାଯିବ । ଘରେ ରହି ଭକ୍ତମାନେ ମାଆଙ୍କ ଦର୍ଶନ ପାଇବେ । କରୋନା ମହାମାରୀ ପାଇଁ ସବୁଠି ନିରାଡମ୍ବର ଭାବେ ମାଆଙ୍କ ମୃଣ୍ମୟୀ ମୂର୍ତି ସ୍ଥାପନ କରାଯାଇଛି ।

କଟକ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ବାଙ୍କିର ମା ଚର୍ଚ୍ଚିକାଙ୍କ ପୀଠରେ ପାଳିତ ହେଉଛି ମହାଷ୍ଟମୀ ପୂଜା । ଷୋଡଶ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ମା’ ଆଜି ଦିବ୍ୟ ସୁଲଭ ବେଶରେ ଦର୍ଶନ ଦେବେ । ସଂପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜା ଯାଇଥିବା ବେଳେ ସମସ୍ତ ସେବାୟତ ମାଙ୍କ କାର୍ଯ୍ୟରେ ଲାଗିପଡ଼ିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପରମ୍ପରା ଅନୁସାରେ ଆଜି ମାଙ୍କ ନିକଟରେ ଆମିଷ ଭୋଗ ଲାଗି କରାଯିବାର ସ୍ୱତନ୍ତ୍ର ବିଧି ରହିଛି । ସେପଟେ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଚାଲିଛି ଷୋଡଶ ପୂଜା ସହ ରଥ ଯାତ୍ରା ।

ପ୍ରତ୍ୟେକ ଦିନ ବୈତରଣୀ ନଦୀରୁ ପ୍ରାତଃ କାଳରୁ ୧୦୮ ଜଳ ଆଣି ସେହି ଜଳରେ ମାଙ୍କୁ ସ୍ନାନ କରାଯାଏ । ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସେହିପରି ଶାରଳାଙ୍କ ପୀଠରେ ମାଆଙ୍କ ଷୋଡଶ ଉପଚାର କରାଯାଉଛି । ଆଜି ରାତିରେ ମାଙ୍କ ସୁନାବେଶ କରାଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ମା ଶାରଳାଙ୍କ ମନ୍ଦିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।