ବେଗୁନିଆ ଭାଇରାଲ ଭିଡ଼ିଓ ଘଟଣା । ମାଗୁଣି ଓ ପୁଅ ଆନନ୍ଦ କହିଲେ, ମାନବବାଦୀ ସଙ୍ଗଠନର ମାଡ଼ ନେଇ ଅଭିଯୋଗ ପରେ ଧମକ ଦେଇଥିଲେ ମୁଖ୍ୟ ମାନସ ଦାସ ।

ଦଳିତ ମହାସଂଘର ସଭାପତି କହୁଛନ୍ତି କାଜୁ ଜଙ୍ଗଲରୁ ରୋଜଗାର ପାଇଁ ଆଦିବାସୀଙ୍କୁ ଆତଙ୍କିତ କରୁଛି ମାନଓ

162

କନକ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆରେ ମାନବବାଦୀ ସଙ୍ଗଠନର ଅମାନବୀୟ ଆକ୍ରମଣ ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଭାଇରାଲ ହୋଇଥିବା ଭିଡ଼ିଓରେ ଖୋର୍ଦ୍ଧା କଡ଼ବା ଆଦିବାସୀ ସାହିର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକ ମାଡ଼ ଖାଉଥିବା ଦେଖା ଯାଉଥିଲା । ଗତକାଲି ମାଗୁଣି ସାମ୍ନାକୁ ଆସିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ପୁଅ ଆନନ୍ଦ ନାୟକ । ତେବେ ଏବେ ବି ତାଙ୍କ ଦେହ ସାରା କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । କିଛି ବ୍ୟକ୍ତି ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରି ପକାଇଥିଲେ । ଘଟଣାକୁ ପ୍ରାୟ ମାସେ ବିତିଯାଇଥିଲେ ମଧ୍ୟ ଏବେ ବି ଆନନ୍ଦଙ୍କ ଦେହ ସାରା ରହିଛି ମାନବବାଦୀ ସଂଗଠନର କର୍ମି ମାନଙ୍କ ଅତ୍ୟାଚାରର ଚିହ୍ନ । ତେବେ ଏହି ଘଟଣା ବାହାରେ ପ୍ରକାଶ କଲେ ପରସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଥିବାରୁ ଆଜି ଯାଏଁ ଚୁପ୍ ରହିଥିବା କହିଛନ୍ତି ଆନନ୍ଦ ।

ଅନ୍ୟପଟେ ଏହି ଆକ୍ରମଣ ପଛରେ ଗୁରୁଜୀ ମାନସ ଦାସ ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି । ତେବେ ଏହି ବ୍ୟକ୍ତିଙ୍କ ଭୁମିକା ସମ୍ପର୍କରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ରାଷ୍ଟ୍ରିୟ ଦଳୀତ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ । ସେ କହିଛନ୍ତି ମାନସ ଦାସ ଦଳିତ, ଆଦିବାସୀଙ୍କୁ ଆତଙ୍କିତ କରି କାଜୁ ଜଙ୍ଗଲରୁ ଅର୍ଥ ଉପାର୍ଜନ କରିଥାନ୍ତି । ସେ କୌଣସି ସମାଜ ସେବା ପାଇଁ ମାନବବାଦୀ ସଂଗଠନ କରିନାହାନ୍ତି । ଏହାକୁ ଉଗ୍ରପନ୍ଥୀଙ୍କ ସଂଗଠନ ମଧ୍ୟ କୁହାଯାଇପାରିବ । ଏବେ ସତ୍ୟ ନାୟକ ହତ୍ୟା ମାମଲା ସାମ୍ନାକୁ ଆସିଛି, ହେଲେ ପୂର୍ବରୁ ଭବାନୀପୁରରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ମଧ୍ୟ ମାନସ ଦାସ ସଂପୃକ୍ତ ବୋଲି ଅଭିଯୋଗ ଆଣିଛନ୍ତି ଅଶୋକ ମଲ୍ଲିକ । ୨୦୧୫ ମସିହାରେ ଖୋର୍ଦ୍ଧାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଆତଙ୍କରାଜ ଚଲାଇଥିବା ଏହି ମାନବବାଦୀ ସଂଗଠନକୁ ତୁରନ୍ତ ବ୍ୟାନ କରାଯିବା ଉଚିତ୍ ଏବଂ ମାନସ ଦାସ ଓ ତାଙ୍କ ପୁଅଙ୍କୁ ୩୦୨ ଦଫାରେ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ରାଷ୍ଟ୍ରିୟ ଦଳିତ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ ।