କନକ ବ୍ୟୁରୋ: ଡେବିଟ୍ କାର୍ଡଧାରୀମାନେ ଯଦି ସେମାନଙ୍କ ପୁରୁଣା ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ କାର୍ଡକୁ  ଏପର୍ଯ୍ୟନ୍ତ ବଦଳାଇ ନାହାନ୍ତି ତାହେଲେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ପ୍ରଯୁକ୍ତିର ଡେବିଟ୍ କାର୍ଡ ବଦଳରେ ଇଏମଭି କାର୍ଡ ସଂଗ୍ରହ କରିନିଅନ୍ତୁ। ଏହା ନହେଲେ ନୂଆବର୍ଷରୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଗ୍ରାହକମାନେ ଡେବିଟ୍ କାର୍ଡ ମାଧ୍ୟମରେ ଏଟିଏମ୍ରୁ ଟଙ୍କା ଉଠାଇବା ଏବଂ ଅନ୍ୟାନ୍ୟ କାରବାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

Advertisment

publive-image

ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ ସମସ୍ତ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପଯୁକ୍ତ ଡେବିଟ୍ କାର୍ଡ ସ୍ଥାନରେ ଇଏମଭି କାର୍ଡ ଦେବା ଆବଶ୍ୟକ। ଅନ୍ତର୍ଜାତୀୟ ମାନର ପେମେଣ୍ଟ୍ ମାନଦଣ୍ଡ ଅନୁଯାୟୀ ଗ୍ରାହକଙ୍କ ଅଧିକ ସୁରକ୍ଷା ପାଇଁ ଏହା କରାଯାଇଛି। ତେଣୁ ଯଦି କୌଣସି ବ୍ୟାଙ୍କର ଗ୍ରାହକ ପୁରୁଣା ଡେବିଟ୍ କାର୍ଡ ବ୍ୟବହାର କରୁଥାନ୍ତି ତା’ହେଲେ ତାହାକୁ ସେମାନେ ବଦଳାଇ ଦେବା ଆବଶ୍ୟକ। ଗ୍ରାହକମାନଙ୍କୁ ସେମାନଙ୍କ ପୁରୁଣା ପ୍ରଯୁକ୍ତିର କାର୍ଡ ବଦଳାଇବା ପାଇଁ ବ୍ୟାଙ୍କ ଗୁଡ଼ିକ ବିଭିନ୍ନ ମାଧ୍ୟମରେ ସୂଚନା ଦେଉଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଡେବିଟ୍ କାର୍ଡଧାରୀମାନଙ୍କୁ ଏକ ଟ୍ବିଟ୍ ମାଧ୍ୟମରେ ଅଧିକ ନିରାପଦଯୁକ୍ତ ଇଏମଭି ଚିପ୍ ଏବଂ ପିନ୍ ଭିତ୍ତିକ କାର୍ଡ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ନିଜ ଆକାଉଣ୍ଟ ଥିବା ଶାଖାରୁ ନେବାପାଇଁ କହିଛି।

ଉଲ୍ଲେଖଯୋଗ୍ୟ, ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ କାର୍ଡ ହେଉଛି ସେହି କାର୍ଡ ଯାହାର ପଛ ପଟେ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ୍ ରହିଥାଏ। କିନ୍ତୁ ଇଏମଭି (ୟୁରୋପେ, ମାଷ୍ଟରକାର୍ଡ ଏବଂ ଭିସା) କାର୍ଡରେ ଚିପ୍ ରହିଥାଏ। ଫଳରେ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପ କାର୍ଡ ତୁଳନାରେ ଇଏମଭି କାର୍ଡ ଅଧିକ ନିରାପଦ ହୋଇଥାଏ।