ଆଜି ଶ୍ରୀଜିଉଙ୍କ ଗଜ ଉଦ୍ଧାରଣ ବେଶ: ମାଘ ମାସ ପୁର୍ଣ୍ଣିମା ତିଥିରେ ଶ୍ରୀଜିଉଙ୍କ ଲାଗି ଅନୁଷ୍ଠିତ ହୋଇଥାଏ ଗଜଉଦ୍ଧାରଣ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଂଟ ।

382

କନକ ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ଗଜ ଉଦ୍ଧାରଣ ବେଶ । ମାଘ ମାସ ପୁର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । କୁହାଯାଏ, କୁମ୍ଭିର ଗଜରାଜକୁ ଆକ୍ରମଣ କରିବା ଗଜରାଜ ନିଜର ପ୍ରାଣରକ୍ଷା କରିବା ପାଇଁ ମହାପ୍ରଭୁଙ୍କୁ ଆକୁଳ ନିବେଦନ କରିଥିଲା । ଆଉ କୁମ୍ଭିରକୁ ଚକ୍ରପେଷୀ ଗଜରାଜଙ୍କୁ ରକ୍ଷା କରିଥିଲେ ମହାପ୍ରଭୁ । ସେହି ପୌରାଣିକ ଆଖ୍ୟାର ସ୍ମୃତିରେ ଶ୍ରୀ ବିଗ୍ରହଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ ।

ସେପଟେ ଗଜଉଦ୍ଧାରଣ ବେଶ ଲାଗି ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଂଟ ରହିଛି । ଏହି ବେଶ ଦ୍ୱିପ୍ରହର ଧୁପ ପରେ ହୋଇ ସଂଧ୍ୟାରେ ସାହାଣ ମେଲା ହୋଇଥାଏ । ଏହି ବେଶର ବିଶେଷତ୍ୱ ହେଉଛି ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୁପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ର ଜଗନ୍ନାଥ ଗରୁଡ଼ ଉପରେ ପଦ୍ମାସନ ଭଙ୍ଗୀରେ ବସିଥିବାର ପ୍ରଦର୍ଶିତ ହୋଇଥାଏ ।

ତେବେ ଏହି ଗଜ ଉଦ୍ଧାରଣ ବେଶ ସମୟରେ ଶ୍ରୀଜଗନ୍ନାଥ ଶୋଲ ଓ ଜରି ନିର୍ମିତ ଶଂଖ, ଚକ୍ର, ଗଦା ଓ ପଦ୍ମରେ ଶୋଭା ପାଆନ୍ତି । ବଳଭଦ୍ରଙ୍କ ହସ୍ତରେ ଅନୁରୁପ ଭାବେ ଶଂଖ, ଚକ୍ର ଓ ହଳ, ମୁଷଳ ଶୋଭାପାଏ । ସୁଭଦ୍ରା ଦ୍ୱିଭୁଜା ଓ ଦୁଇ ପଦଯୁକ୍ତା ହୋଇ ଶେଭାପାଇଥାଆନ୍ତି । ମହାପ୍ରଭୁଙ୍କ ଗଜ ଉଦ୍ଧରଣ ବେଶ ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ।