ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ନା : ମାଘ ସପ୍ତମୀ ମେଳା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି; ମେଳା ପରିସରରେ ଲାଗୁ ହେବ ୧୪୪ ଧାରା

କରୋନା କଟକଣା ଭିତରେ ୫୦୦ ପୂଜକ ସେବାୟତ ନେଇ ହେବ ରୀତିନୀତି

125

କନକ ବ୍ୟୁରୋ : ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ହେବ ଚନ୍ଦ୍ରଭାଗା ମାଘମେଳା । ପ୍ରଥମଥର ପାଇଁ ମାଘସପ୍ତମୀ ବୁଡ଼ରେ ଶ୍ରଦ୍ଧାଳୁଙ୍କ ସମାଗମ ହେବନାହିଁ । ଏହି ପୁରାଣ ପ୍ରସିଦ୍ଧ ଉତ୍ସବକୁ ଚଳିତବର୍ଷ ମାତ୍ର ୫ ଶହ ଲୋକଙ୍କ ସମାଗମ ହେବ । ମାଘମେଳା ପାଇଁ ଷଷ୍ଠୀ ଅପରାହ୍ଣରୁ ସପ୍ତମୀ ମଧ୍ୟାହ୍ନ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରିଣୀ ସନ୍ନିକଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ଚନ୍ଦ୍ରଭାଗା ମାଘମେଳା ପାଇଁ ଆଜି ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଚଳିତ ମାସ ୧୮ ତାରିଖ ଅପରାହ୍ଣରୁ ୧୯ ଅପରାହ୍ଣ ପର୍ଯ୍ୟନ୍ତ ଏହି ପୁରାଣପ୍ରସିଦ୍ଧ ଉତ୍ସବ ଅନୁଷ୍ଠିତ ହେବ । ତେବେ ସବୁବର୍ଷ ଭଳି ଠାକୁରଙ୍କ ନୀତିକାନ୍ତି ହେବା ସହିତ ସଂକୀର୍ତ୍ତନ ସମାରୋହରେ ତିନି ଠାକୁରଙ୍କୁ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ପରିସରରେ ଥିବା ମଣ୍ଡପକୁ ବିଜେ କରାଯିବ । ତିନି ଠାକୁରଙ୍କ ସହିତ ସେବାୟତ, ପୁଲିସ ପ୍ରଶାସନର ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯିବାଲାଗି ଅନୁମତି ମିଳିବ । ତେବେ ଯେଉଁମାନଙ୍କୁ ପ୍ରବେଶ ଅନୁମତି ମିଳିବ ସେମାନଙ୍କ ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି ।