ପକ୍ଷୀ ପ୍ରେମରେ ମେଗି: ଦୁଇ ପାରାଙ୍କ ପାଇଁ ଖର୍ଚ୍ଚ ୪ ଲକ୍ଷ

91

କନକ ବ୍ୟୁରୋ: ଆଜିକାଲି ଜୀବଜନ୍ତୁ ପାଳିବା ଅନେକଙ୍କ ସୌକ । ନିଜ ପିଲାଙ୍କ ପରି ଏମାନଙ୍କ ଯତ୍ନ ନେବାକୁ ପସନ୍ଦ କରନ୍ତି ଅନେକ । ଏମାନଙ୍କ ପାଇଁ ଅନେକ କିଛି ସୁବିଧା ସୁଯୋଗ ମଧ୍ୟ କରିଥାନ୍ତି । ଏମିତି ଜଣେ ସୌକିନ୍ ମହିଳା ହେଉଛନ୍ତି ଇଂଲଣ୍ଡ ଲିଙ୍କନସାୟାରରେ ରହୁଥିବା ମେଗି ଜନସନ୍ । ଯିଏ ଦୁଇଟି ପାରାଙ୍କ ପାଇଁ ମାସିକ ଖର୍ଚ୍ଚ କରୁଛନ୍ତି ୩୦ରୁ ୪୦ ହଜାର ଟଙ୍କା ।

ହଁ , ମେଗିଙ୍କ ଏହି ପାରା ସୌକ ପାଇଁ ସେ ବେଶ୍ ପରିଚିତ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମେଗି ଦୁଇ ପାରାଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ବେଡରୁମ୍ । ଏହି ଦୁଇ ପାରାଙ୍କ ନାଁ ରଖିଛନ୍ତି ସ୍ମାଏ ଓ ମୁସ୍ । ମଜାଦାର କଥା ହେଉଛି ଏମାନଙ୍କ ପାଇଁ ସେ ବିଭିନ୍ନ ଫେସନେବଲ ଡ୍ରେସ୍ ବନାଇବାରେ ଖର୍ଚ୍ଚର୍ କରୁଛନ୍ତି ହଜାର ହଜାର ଟଙ୍କା । ପ୍ରକୃତି ପ୍ରିୟ ମେଗି ଦିନେ ଏହି ଦୁଇ ପାରାଙ୍କୁ ଆହତ ଅବସ୍ଥାରେ ପାଇଥିଲେ । ଘରକୁ ଆଣି ମଣିଷଙ୍କ ପରି ସେବା କରି ସେମାନଙ୍କୁ ସୁସ୍ଥ କରିଥିଲେ । ସ୍ମାଏ ଓ ମୁସଙ୍କୁ କ୍ଷଣେ ଛାଡନ୍ତିନି ମେଗି । ଏମାନଙ୍କ ଖାଇବା ପିଇବା ପାଇଁ ବାର୍ଷିକ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି ମେଗି । ଖାଲି ସେତିକି ନୁହେଁ ଏମାନଙ୍କ ମନ ଖୁସି ରଖିବାକୁ ଏମାନଙ୍କୁ ବାହାରକୁ ବୁଲାଇ ନିଅନ୍ତି । ଏଥିପାଇଁ ଦୁଇ ପାରାଙ୍କ ପାଇଁ ବେବି ସିଟର ଭଳି ଗାଡି ମଧ୍ୟ କରିଛନ୍ତି । ଏମାନଙ୍କ ଖେଳିବା ପାଇଁ ଏମାନଙ୍କ ବେଡ ରୁମରେ ଖଂଜି ରଖିଛନ୍ତି ରକମ ରକମର କଣ୍ଢେଇ । ପାରା ନୁହେଁ ତ ନିଜ ସନ୍ତାନଙ୍କ ଭଳି ମେଗି ଏହି ଦୁଇ ପାରାଙ୍କ ଯତ୍ନ ନେଇଆସୁଛନ୍ତି । ଏମାନଙ୍କୁ କ୍ଷଣେ ନଦେଖି ରହିପାରନ୍ତିନି । ପ୍ରକୃତି ଓ ଏଥିରେ ଥିବା ପ୍ରତ୍ୟେକ ସୃଷ୍ଟି ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଦୃଷ୍ଟି ରଖିପାରିଲେ ମଣିଷ ଜୀବନ ମଧ୍ୟ ସୁଖମୟ ହୋଇପାରିବ ବୋଲି ମେଗି ବାର୍ତ୍ତା ଦିଅନ୍ତି ।