କନକ ବ୍ୟୁରୋ: ଜଳକା ନଦୀ ଅବବାହିକାରେ ଥିବା ବାଲି ଓ ପଟୁ ମାଟି ଉପରେ ନଜର ପକାଇଛନ୍ତି ମାଫିଆ । ପ୍ରତେକ ଦିନ ନଦୀ ଗର୍ଭରୁ ଖୋଳି ନେଉଛନ୍ତି ବାଲି ଓ ମାଟି । ଜେସିବିରେ ଖୋଳି ଟ୍ରାକ୍ଟରରେ ବୋହି ନେଉଛନ୍ତି । ଫଳରେ କୂଳ ଖାଉଛି ଜଳକା ନଦୀ । ଏହାସହ ନଦୀ ଗତିପଥ ବଦଳାଇବା ଆଶଙ୍କା ରହିଛି । ନଦୀର ଗତିପଥରେ ପରିବର୍ତନ ହେଲେ ବାଲେଶ୍ୱର ବସ୍ତା ଅଂଚଳର ବାହାର୍ଦା, ମଥାନୀ ଓ ରାଉତପଡା ପଂଚାୟତର ଶତାଧିକ ଲୋକ ବାସହରା ହେବାର ସମ୍ଭାବନା ରହିଛି ।

Advertisment

ଅନ୍ୟପଟେ ମାଟି ଓ ବାଲି ଖନନ ଯୋଗୁଁ ଜଳକା ନଦୀ ଉପରେ ଥିବା ଜଳକା ସେତୁ ଭୁସୁଡ଼ିିବାର ସମ୍ଭାବନା ରହିଛି । ନଦୀ କୂଳ ଠାରୁ ୫୦ ମିଟର ଭିତରେ ଫାଟ ସୃଷ୍ଟି ହୋଇଛି । ଦୁର୍ବଳ ନଦୀବନ୍ଧ ଭାଙ୍ଗିଯିବାର ଆଶଙ୍କା କରିଛନ୍ତି ନଇକୂଳିଆ ଲୋକେ । ନଦୀ ଅବବାହିକାରୁ ବେଆଇନ୍ ଭାବେ ମାଟି ଓ ବାଲି ଉତୋଳନ ବନ୍ଦ କରିବାକୁ ଦାବି କରିଛନ୍ତି ।

ଜଳକା ନଦୀ ସୁରକ୍ଷା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯଦି ସରକାର ତୁରନ୍ତ ନଦୀର ସୁରକ୍ଷା ପ୍ରତି ଦୃଷ୍ଟି ନଦିଆନ୍ତି ତାହା ହେଲେ ନଇକୂଳିଆ ଗାଁ ଗୋଡିକ କ୍ଷତିଗ୍ରସ୍ତ ହେବାର ଆଶଂକା ରହିଛି ।