କନକବ୍ୟୁରୋ : ମାଫିଆ କୋରି ଖାଇଗଲେ ମହାପ୍ରଭୁଙ୍କ ମୂଲ୍ୟବାନ ଖଣି । ଯେତିକି ଉତ୍ତୋଳନ ଅନୁମତି ନେଇଛନ୍ତି । ତାଠୁ ଢ଼ର ଗୁଣା ପଥର ତାଡ଼ି ବିକି ଦେଇଛନ୍ତି । ଏଭଳି ମହାଲୁଟ୍ ଧରିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେଉଁଥିରେ ୧୫ଦିନ ଭିତରେ ରୟାଲିଟି ସହ ଆନୁସଙ୍ଗିକ ଦେୟ ଓ ଫାଇନ୍ ଜମା କରିବାକୁ ରହିଛି କଡ଼ା ନିର୍ଦ୍ଦେଶ । ୧୯ଟି ଖଣି ମଧ୍ୟରୁ ୧୭ଟି ନିର୍ମାଣ ପଥର ଖଣି, ୨ ଗୋଟି ମାଙ୍କଡ଼ା ପଥର ଖଣି ଧାର୍ୟ୍ୟ ଅନୁମୋଦିତ ପରିମାଣଠୁ କରିଛନ୍ତି ଅଧିକ ଉତ୍ତୋଳନ । ସାତଦିନ ମଧ୍ୟରେ ଜରିମାନା ମୂଲ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ରୟାଲଟି, ଆନୁସଙ୍ଘିକ ଦେୟ, ଅଧିକ ଉତ୍ତୋଳନ ପାଇଁ ଜରିମାନା ଦେବାକୁ ପଡ଼ିବ । ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଖଣି ଖଜଣା ଦେଉନଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମହାପ୍ରଭୁଙ୍କ ଖଣିରୁ ୨୧ କୋଟି ଲୁଟ ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତି ଚିନ୍ତା କରିନାହାନ୍ତି । ୨୦୦୩ର ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ ।

ମହାପ୍ରଭୁଙ୍କ ୫୮ ହଜାର ଏକର ଭୂସମ୍ପତ୍ତି ଅଛି । ୩୭ ହଜାର ଏକର ସମ୍ପତ୍ତିର କାଗଜ ଓ ତଥ୍ୟ ଅଛି । ସେ ଆହୁରି କହିଛନ୍ତି, ଖୋର୍ଦ୍ଧାର ସମସ୍ତ ଖଣି ଖାଦାନ ମହାପ୍ରଭୁଙ୍କ ସମ୍ପତ୍ତି । ଜବରଦଖଲ କରିଥିବା ଉପଭୋଗକାରୀ ଚିହ୍ନଟ ହେବେ । ଖଣି ଖଜଣା ଦେଉନଥିଲେ ଦଣ୍ତ ବିଧାନ ହେବ । ଏବେ ଦେଖିବାର କଥା ଠାକୁରଙ୍କ ଖଣି ଚୋରି ରୋକିବାରେ ଶ୍ରୀମନ୍ଦିର ପ୍ରଶାସନକ ଏ କଡ଼ା ଆଭିମୁଖ୍ୟ କେତେ ଫଳପ୍ରଦ ହେଉଛି।