Advertisment

କନକ ବ୍ୟୁରୋ: ବାଲି ଚୋରା ଚାଲାଣକାରୀଙ୍କର ଟ୍ରାକ୍ଟର୍‌ ଚଢ଼ିଯିବାରୁ ମଙ୍ଗଳବାର ଦିନ ଗାଡ଼ି ଯାଞ୍ଚ କରୁଥିବା ବିହାରର ଜଣେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଜାମୁଇ ଜିଲ୍ଲାରେ ବେଆଇନ ଖନନ କରି ବାଲି ମାଫିଆମାନେ ଉକ୍ତ ଟ୍ରକ୍ଟରରେ ବାଲି ଚୋରା ଚାଲାଣ କରୁଥିଲେ। ଏଭଳି ସମୟରେ ସବଇନ୍ସପେକ୍ଟର ଯାଞ୍ଚ ପାଇଁ ଯାଇଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ମୃତ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହେ‌ଉଛନ୍ତି ୨୮ ବର୍ଷିୟ ପ୍ରଭାତରଞ୍ଜନ। ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ସେହିପରି, ରାଜେଶ କୁମାର ସାଓ ନାମରେ ଜଣେ ହୋମଗାର୍ଡ ଯବାନ ମଧ୍ୟ ଉକ୍ତ ଟ୍ରାକ୍ଟର୍‌ ଧକ୍କାରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବୈଶାଳୀ ଜିଲ୍ଲାବାସୀ ରଞ୍ଜନ ଥିଲେ ୨୦୧୮ ବ୍ୟାଚ୍ର ଏସ୍‌. ଆଇ.। ଜାମୁଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଶୌର୍ୟ୍ୟ ସୁମନ କହିଛନ୍ତି, ରଞ୍ଜନ ସହକାରୀ ‘ଏସଏଚଓ’ ଭାବେ କାର୍ୟ୍ୟ କରୁଥିବା ଗଢ଼ି ଥାନାଠାରୁ ପ୍ରାୟ ୫ କିଲୋମିଟର୍‌ ଦୂର ଚନ୍ଦନୱାରା ଅଞ୍ଚଳରେ ବେଆଇନ ବାଲୁକା ଖନନ ହେଉଥିବା ବିଷୟରେ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସେଠାକୁ ଯାଇ ଯାନବାହନ ଯାଞ୍ଚ କରିବା ବେଳେ ରଞ୍ଜନ ଓ ସାଓ ଉକ୍ତ ବାଲି ଟ୍ରାକ୍ଟରକୁ ଦେଖିଥିଲେ।

ସେମାନେ ଉକ୍ତ ଟ୍ରାକ୍ଟର୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଟ୍ରାକ୍ଟର୍‌ ଚାଳକ କୃଷ୍ଣ ରବିଦାସ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟର୍‌କୁ ଜବତ କରାଯାଇଛି। ଟ୍ରାକ୍ଟର୍‌ ଚାଳକଙ୍କ ସହିତ ଥିବା ଜଣେ ବ୍ୟକ୍ତିଙ୍କୁ ବି ଗିରଫ କରାଯାଇଛି ବୋଲି ଏସପି. କହିଛନ୍ତି।