କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନରେ ନାମ୍ବିଆରୁ ଆସିଥିବା ୮ ଚିତା ବାଘକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଚିତାବାଘଙ୍କୁ ଛାଡିବା ସମୟର କିଛି ଫଟୋ କ୍ୟାମେରା ଲେନ୍ସରେ କଏଦ କରିଥିଲେ ମୋଦୀ । ତେବେ ପରବର୍ତ୍ତୀ ସମୟରେ ଏହି ଫଟୋକୁ ଭିନ୍ନ ଢଙ୍ଗରେ ଏଡିଟିଂ କରିବା ସହ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ କିଛି ୟୁଜର୍ସ । ଯାହା ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏବେ ତତ୍ପର ହୋଇ ଉଠିଛି ମଧ୍ୟପ୍ରଦେଶ ପୋଲିସ । ମୋଦୀଙ୍କ ଅସଲି ଫଟୋକୁ ଏଡିଟିଂ କରି ଛାଡିଥିବା ୟୁଜର୍ସଙ୍କୁ ଆଇନର ପାଠ ପଢାଇବାକୁ ମନସ୍ଥିର କରିଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଶିବରାଜ ସରକାର ।

Advertisment

ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନରୋତ୍ତମ କହିଛନ୍ତି, କୁନୋ ଜାତୀୟ ଉଦ୍ୟାନରେ ଚିତା ବାଘଙ୍କୁ ଛାଡିବା ପରେ ପ୍ରଧାନମନ୍ତ୍ରୀ ଏହି ବାଘଙ୍କର କିଛି ଫଟୋ ଉଠାଇଥିଲେ । ତେବେ ଏହି ସମୟରେ ମୋଦୀଙ୍କର ଫଟୋକୁ ବିକୃତ କରି କିଛି ୟୁଜର୍ସ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ଏପରିକି କିଛି ୟୁଜର୍ସ ଏହି ଫଟୋକୁ ନେଇ ମୋଦୀଙ୍କୁ ଆକ୍ଷେପ କରିଥିଲେ । ଯାହାକୁ ନେଇ ନରୋତ୍ତମ କହିଛନ୍ତି, ଏହା ବହୁତ ଗମ୍ଭୀର ବିଷୟ । ଫଟୋକୁ ଯେଉଁଭଳି ବିକୃତ କରାଯାଇଛି ତାହା ଆଦୌ ଠିକ୍ ନୁହେଁ । ସାଇବର ବିଭାଗକୁ ଏହି ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଫେସବୁକରେ କିଏ ଭାଇରାଲ କରିଥିଲେ ତାହାର ଯାଞ୍ଚ ଆରମ୍ଭ ହୋଇଛି । ଖୁବଶୀଘ୍ର ଦୋଷୀଙ୍କୁ ଧରିବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନରୋତ୍ତମ ମିଶ୍ରା କହିଛନ୍ତି ।