ପିଲାଙ୍କ ଶିକ୍ଷା ଆଗରେ କଣ୍ଟା ସାଜୁଛି ରାସ୍ତା : ପ୍ରଶାସନକୁ ଅପେକ୍ଷା ନକରି କୋଡି , କୋଦାଳ ଉଠାଇ ପାହାଡ଼ କାଟି ରାସ୍ତା ତିଆରି କରିବାରେ ଲାଗିପଡିଛନ୍ତି ଗ୍ରାମବାସୀ ।

88

ଦୀର୍ଘଦିନର ଦାବି କେବଳ ପ୍ରତିଶ୍ରୁତିରେ ରହିଗଲା । ପ୍ରଶାସନ, ରାଜନୈତିକ ନେତୃବୃନ୍ଦ କେହି ଶୁଣିଲେ ନାହିଁ । ବଡ ବଡ ବାବୁମାନେ ଗାଁକୁ ବୁଲିବାକୁ ଆସି କେବଳ ପ୍ରତିଶ୍ରୁତି ଦେଇ ଚାଲିଗଲେ । ଶେଷରେ ନିଷ୍ପତ୍ତି ନେଲେ ଗ୍ରାମବାସୀ । ନିଜ ଗାଁ ପାଇଁ ନିଜେ ପାହାଡ଼ କାଟି ବାହାର କରୁଛନ୍ତି ରାସ୍ତା । କୋଦାଳ, ଶାବଳ ଧରି କାଟୁଛନ୍ତି ପାହାଡ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ଅଲିରାଜପୁର ଗ୍ରାମର । ଏହି ଗ୍ରାମର ପିଲାମାନଙ୍କୁ ସ୍କୁଲ ଯିବାପାଇଁ ଦୀର୍ଘ ୬ଘଣ୍ଟାର ସମୟ ଲାଗିଥାଏ । ଗାଁରେ ଅନ୍ୟ କୌଣସି ରାସ୍ତା ମଧ୍ୟ ନାହିଁ । ପିଲାମାନେ କିଭଳି କମ ସମୟରେ ସ୍କୁଲ ଯାଇପାରିବେ , ସେ ନେଇ ଅଣ୍ଟା ଭିଡିଥିଲେ ଅଞ୍ଜନୱାଡାର ଗ୍ରାମବାସୀ । ବର୍ତ୍ତମାନ ମିଳିମିଶି ପାହାଡ଼ କାଟିବାରେ ଲାଗିଛନ୍ତି ଗ୍ରାମବାସୀ । ସକାଳ ହେବା ମାତ୍ରେ ସମୟ ସମୟ ପାଳି କରି ପଥର କାଟୁଛନ୍ତି । ସବୁଠାରୁ ବଡ କଥା ହେଉଛି, ସେମାନଙ୍କ ପିଲାମାନେ ମଧ୍ୟ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି । ଏହି ରାସ୍ତା ବାହାରିଲେ ନାନାଦି ପ୍ରକାର ଅସୁବିଧା ଦୂର ହୋଇପାରିବ ।

ଲୋକଙ୍କ କହିବାନୁସାରେ , ପାହାଡ଼ ତଳେ ଗ୍ରାମବାସୀଙ୍କ ଜମି ଥିଲା । କିନ୍ତୁ ଗୁଜୁରାଟ ବନ୍ଧ ବାନ୍ଧିବା ସମୟରେ ନର୍ମଦାର ପାଣିରେ ଜମି ବୁଡ଼ିଗଲା । ଏହା ସହ ରାସ୍ତା ମଧ୍ୟ ଖରାପ ହୋଇଗଲା । ଅସୁବିଧା ତ ସେତେବେଳେ ହୁଏ ଯେତେବେଳେ କେଉଁ ରୋଗୀଙ୍କୁ ଭାର କରି ହସ୍ପିଟାଲ୍ ନେବାକୁ ମାଇଲ୍ ମାଇଲ୍ ଚାଲିବାକୁ ପଡେ । ନୂଆ ରାସ୍ତା ହେବା ପରେ ଏହି ଅସୁବିଧା ଲାଘବ ହେବ । ଗାଁର ଯୁବାବର୍ଗ ଉଚ୍ଚଶିକ୍ଷା ପାଇଁ ଗାଁ ଛାଡିବାକୁ ବାଧ୍ୟ ହେଉଛନ୍ତି । ପାଖରେ ପ୍ରାଇମେରୀ ସ୍କୁଲ୍ ଅଛି କିନ୍ତୁ ଉଚ୍ଚଶିକ୍ଷା ପାଇଁ ୬ ରୁ ୭ ଘଣ୍ଟା ଚାଲିବାକୁ ପଡୁଛି ।