କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବାକୁ ଦେଶରେ ୫ ମାସରୁ ଅଧିକ ହେବ ଟିକାକରଣ ଚାଲିଛି । ଏହି କ୍ରମରେ ଜୁନ ୨୧ ତାରିଖରେ ଦେଶରେ ଟିକାକରଣ ରେକର୍ଡ ସୃଷ୍ଟି କରିଥିଲା । ସାରା ଦେଶରେ ସେହି ଗୋଟିଏ ଦିନରେ ୮୬,୧୬,୩୭୩ ଜଣ ଲୋକଙ୍କୁ ଟିକା ଦିଆଯାଇଥିବା କଥା ସରକାରୀ ଭାବେ କୁହାଯାଇଥିଲା । ଜୁନ ୨୧ ତାରିଖ ଦିନ କେବଳ ମଧ୍ୟପ୍ରଦେଶରେ ଦେଶରେ ସବୁଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା । କେବଳ ଗୋଟିଏ ଦିନରେ ୧୬ ଲକ୍ଷ ୯୩ ହଜାର ଲୋକଙ୍କୁ ଟିକା ଦିଆଯାଇଥିଲା । ହେଲେ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ । ସେ କହିଛନ୍ତି କି ଜୁନ ୨୦ ତାରିଖରେ ରାଜ୍ୟରେ ମାତ୍ର ୬୯୨ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୨୧ ତାରିଖରେ ପାଖା ପାଖି ୧୭ ଲକ୍ଷ ଲୋକଙ୍କୁ ଟିକା ଦିଆଗଲା । ହେଲେ ୨୨ ତାରିଖରେ ସେତିକି ଟିକାକରଣ କେନ୍ଦ୍ରରେ ମାତ୍ର ୪୮୪୨ ଜଣ ଲୋକଙ୍କୁ ଟିକା ଦିଆଯାଇଛି ।
ଏନେଇ ଜୟରାମ ରମେଶ କହିଛନ୍ତି କି ଟିକାକରଣକୁ ନେଇ ସରକାର ଆମକୁ ବୋକା ବନାଉଛନ୍ତି । ସେ ଆହୁରି କହିଛନ୍ତି କି ଟିକାକରଣର ଅର୍ଥ ଗୋଟିଏ ଦିନ ପ୍ରାକ୍ଟିସ୍ ନୁହେଁ । ଜୁନ ୨୧ ତାରିଖରୁ କ୍ୟାମ୍ପନ ମୋଡରେ ଟିକାକରଣ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରି କ୍ୟାମ୍ପନକୁ ଗୋଟିଏ ଦିନରେ ଶେଷ କରିଦେଲେ ବୋଲି ସେ ଅଭିଯୋଗ କରିଛନ୍ତି । ଦେଶର ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବାକୁ ହେଲେ ଆଗାମୀ ୪/୫ ମାସ ପର୍ଯ୍ୟନ୍ତ ଦୈନିକ ୮୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ପଡିବ ବୋଲି ସେ କହିଛନ୍ତି ।
Madhya Pradesh vaccination trend last 3 days:
20th June: 692
21st June: 16.93 lakhs
22nd June: 4842Who are we trying to fool?
— Jairam Ramesh (@Jairam_Ramesh) June 23, 2021
କହିରଖୁ କି ୨୨ ତାରିଖରେ ସାରା ଦେଶରେ ୫୪,୨୪,୩୭୪ ଜଚ୍ଚଙ୍କୁ ଟିକା ଦିଆଯାଇଛି । ଏହାସହ ଦେଶରେ ଟିକା ନେଇଥିବା ମୋଟ ଲୋକଙ୍କ ସଂଖ୍ୟା ୨୯,୪୬,୩୯,୫୧୧ ରେ ପହଂଚିଛି । ମନ୍ତ୍ରଣାଳୟର ସୂଚନା ମୁତାବକ ମଙ୍ଗଳବାର ଦିନ ୧୮-୪୪ ବର୍ଷିୟ ୩୨,୮୧,୫୬୨ ଜଣଙ୍କୁ ଟିକାର ପ୍ରଥମ ଖୋରାକ ଦିଆଯାଇଥିବା ବେଳେ ୭୧,୬୫୫ ଜଣଙ୍କୁ ଟିକାର ଦ୍ୱିତୀୟ ଖୋରାକ ଦିଆଯାଇଛି ।
ଅନ୍ୟପଟେ ଜୁନ ୨୧ ତାରିଖ ଦିନ ଦେଶରେ ହୋଇଥିବା ରେକର୍ଡ ସଂଖ୍ୟକ ଟିକାକରଣ ପରେ ଜୁନ ୨୨ ତାରିଖରେ ପୁଣି ଧିମା ହୋଇଛି ଟିକାକରଣ । ଯାହାକୁ ନେଇ ବିରୋଧୀ ମାନେ ଅଭିଯୋଗ କରିଛନ୍ତି କି ସରକାର ବାଃହା ବାଃହା ନେବାକୁ ୨୧ ତାରିଖ ଦିନ କ୍ୟାମ୍ପନ ମୋଡରେ ଟିକାକରଣ କରି ୨୨ ତାରିଖ ଠାରୁ ଟିକାକରଣକୁ ନେଇ ପୂର୍ବ ସ୍ଥିତିର ପୁନାରାବୃତ୍ତି କରିଛନ୍ତି ।