ମଧ୍ୟପ୍ରଦେଶ ସଂକଟ ଜଟିଳ: ସୁପ୍ରିମକୋର୍ଟରେ ଆଜି ପକ୍ଷ ରଖିବେ କମଳନାଥ ସରକାର…ସେପଟେ ୨୪ ଘଂଟା ଭିତରେ ସଂଖ୍ୟାଗରିଷ୍ଠ ପ୍ରମାଣ ପାଇଁ ଖଣ୍ଡପୀଠଙ୍କ ନୋଟିସ

ନିଜ ବିଧାୟକଙ୍କ ମୁକ୍ତି ଦାବିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ

237

କନକ ବ୍ୟୁରୋ: ରୋଚକ ସ୍ଥିତିରେ ପହଂଚିଛି ମଧ୍ୟପ୍ରଦେଶର ରାଜନୈତିକ ସଂକଟ । ଆଜି ପୁଣି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ । ପୂର୍ବାହ୍ନ ସାଢେ ୧୦ଟା ସୁଦ୍ଧା ସରକାରଙ୍କ ପକ୍ଷ ରଖିବାକୁ ହ୍ୱାଟସଆପ ଯୋଗେ ନୋଟିସ ପଠାଇଛନ୍ତି ଖଣ୍ଡପୀଠ । କାଲି ତୁରନ୍ତ ଆସ୍ଥାଭୋଟ ଦାବିରେ ବିଜେପି କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ନୋଟିସ ପଠାଇଛନ୍ତି । ଏଥିସହ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ କମଳନାଥ ସରକାରଙ୍କୁ ୨୪ ଘଂଟା ନୋଟିସ ଜାରି କରିଛନ୍ତି ।

ଆଜି କମଳନାଥ ସରକାର ସୁପ୍ରିମକୋର୍ଟରେ ପକ୍ଷ ରଖିବେ । ତେବେ ଗତକାଲି କଂଗ୍ରେସ ନିଜ ବିଧାୟକଙ୍କ ମୁକ୍ତି ଦାବି କରି ସୁପ୍ରିମକୋର୍ଟ ଯିବା ପରେ ଏବେ ମାମଲାର ରୋଚକ ମୋଡ ଆସିଛି । ଗତ ୧୬ ତାରିଖ ଦିନ ରାଜ୍ୟପାଳ ଲାଲଜି ଟଣ୍ଡନ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ କମଳନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବାଚସ୍ପତି କରୋନା ସଂକ୍ରମଣ ଜନିତ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବିଧାନସଭାକୁ ୨୬ ତାରିଖ ଯାଏଁ ମୁଲତବି ଘୋଷଣା କରିଛନ୍ତି । ଯାହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଅନ୍ୟପଟେ ଗତକାଲି ରାଜ୍ୟପାଳଙ୍କୁ ବାଚସ୍ପତି ଏନପି ପ୍ରଜାପତି ଚିଠି ଲେଖି ଅପହୃତ ବିଧାୟକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦାବି କରିଛନ୍ତି ।