ୟୁପି ପରେ ମଧ୍ୟପ୍ରଦେଶରୁ ଆସିଲା ଦୁର୍ଘଟଣାର ଆଉ ଏକ ଛାତିଥରା ଖବର: ଅଧୁରା ରହିଗଲା ଘରବାହୁଡା ସ୍ୱପ୍ନ; ଭିଟାମାଟିରେ ପହଞ୍ଚିବା ପୂର୍ବରୁ ଅଧା ବାଟରେ ଚାଲିଗଲା ପ୍ରବାସୀଙ୍କ ଜୀବନ

1,275

କନକ ବ୍ୟୁରୋ: ଥମୁନି ଦୁର୍ଘଟଣା । ଆଜି ଗୋଟିଏ ଦିନରେ ଘଟିଯାଇଛି ତିନୋଟି ବଡ ବଡ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଭୋରରୁ ଭୋରରୁ ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା ଘଟି ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ମଧ୍ୟପ୍ରଦେଶରୁ ଆସିଛି ପୁଣି ଏକ ସଡକ ଦୁର୍ଘଟଣା ଖବର । ମଧ୍ୟପ୍ରଦେଶର ଦଲବତପୁରରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଯାଇଛି ୫ ଜଣ ପ୍ରବାସୀ ଶ୍ରମିକଙ୍କ ଜୀବନ । ଏବଂ ୨୦ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ମଧ୍ୟପ୍ରଦେଶ ସାଗରରୁ ଛତରପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଟ୍ରକ୍ । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୫ ପ୍ରବାସୀ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି । ତେବେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଂଚିବା ସହ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ବଡ କଥା ହେଲା ଯେ, ଆଜି ଗୋଟିଏ ଦିନରେ ଏହି ଦୁର୍ଘଟଣାକୁ ମିଶାଇ ୩ଟି ଟ୍ରକ ଦୁର୍ଘଟଣା ଘଟିଛି । ତେବେ ୟୁପିର ଔରେୟାରେ ସକାଳୁ ସକାଳୁ ଟ୍ରକ ଦୁର୍ଘଟଣା ଘଟି ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେହିଭଳି ଦ୍ୱିତୀୟ ଦୁର୍ଘଟଣା ମହାରାଷ୍ଟ୍ର ତେଲଙ୍ଗାନା ସୀମାରେ ଘଟିଛି । ତେବେ ୭୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଓଲଟିପଡିବାରୁ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।