ମଧ୍ୟପ୍ରଦେଶ ସିଦ୍ଧିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩୮ ଜଣଙ୍କ ମୃତଦେହ ଉଦ୍ଧାର । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ସହାୟତା ରାଶି ଘୋଷଣା

423

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସିଦ୍ଧି ଠାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ ।  ବସରେ ମୋଟ ୫୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଏନଡିଆରଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ନର୍ସିଂ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ନାଳ ଭିତରକୁ ଖସି ପଡିଥିଲା ।
ସୂଚନା ମୁତାବକ ପୁରା ୫୦ ଜଣ ଯାତ୍ରୀଙ୍କୁ ନେଇ ବସଟି ସିଦ୍ଧିରୁ ସତାନା ଯାଉଥିଲା । ସିଦ୍ଧି ଠାରେ ବସଟି ସାମ୍ନାପଟୁ ଆସୁଥିବା ଏକ ବୋଲେରୋ ଗାଡିକୁ ସାଇଡ୍ ଦେବା ବେଳେ ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକ ଛାତ୍ର ଛାତ୍ରୀ ଅଛନ୍ତି । ନର୍ସିଂ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଥିବାରୁ ସେମାନେ ଏହି ବସ୍ ରେ ସିଦ୍ଧିରୁ ସତାନା ଯାଉଥିଲେ ।

ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ଜାତୀୟ ରିଲିଫ୍ ଫଣ୍ଡରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ  ।

ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଘଟଣା ସ୍ଥଳକୁ ୨ ଜଣ ମନ୍ତ୍ରୀଙ୍କୁ ପଠାଇଛନ୍ତି ।


ସେହିଭଳି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ଘଟଣାରେ ଗଭୀର ଦୁଖ ପ୍ରକାଶ କରିବା ସହ ଉଦ୍ଧାରକାର୍ଯ୍ୟ ବାବଦରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ଶାହା କହିଛନ୍ତି କି ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଯଥା ସମ୍ଭବ ସହାୟତା କରୁଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହାତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।