ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି

1,362

କନକ ବ୍ୟୁରୋ : ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହେବାରେ ଲାଗିଛି । ଏହା ମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି ଓ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବ । ୨୦୧୮ ନିର୍ବାଚନରେ ବିଜେପି ଏହି ୩ଟି ରାଜ୍ୟରେ ପରାଜିତ ହୋଇଥିଲା ।

ବିଜୟୀ ହୋଇଥିବା ୩ଟି ରାଜ୍ୟରେ ବିଜେପି ଏକ ନୂଆ ପ୍ରୟୋଗ କରିଥିଲା । ଏଥିରେ ଦଳ ୨୧ ଜଣ ସାଂସଦଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା । ରାଜସ୍ଥାନରେ ୭ ସାଂସଦ, ମଧ୍ୟପ୍ରଦେଶରେ ୭ ସାଂସଦ ଓ ଛତିଶଗଡରେ ୪ ସାଂସଦ ଏବଂ ତେଲେଙ୍ଗାନାରେ ୩ ଜଣ ସାଂସଦଙ୍କୁ ବିଧାୟକ ଭାବେ ନିର୍ବାଚନ ଉବଦାନକୁ ଉହ୍ଲାଇଥିଲା ବିଜେପି । ଏହି ସାଂସଦମାନଙ୍କ ମଧ୍ୟରେ ମୁଖ୍ୟତ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ପ୍ରହ୍ନଲାଦ ସିଂ ପଟେଲ ଓ ଫଗନ କୁଲସ୍ତେ । ଏଥିରୁ ବିଧାନସଭାରେ ବିଜୟୀ ହୋଇଥିବା ସାଂସଦମାନେ ବିଧାୟକ ରହିବେ ନା ସାଂସଦ ରହିବେ ତାହା ୧୪ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ । ସମ୍ବିଧାନ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାରୀ କହିଛନ୍ତି କି ଏମାନେ ଯଦି ୧୪ ଦିନ ମଧ୍ୟରେ ଗୋଟିଏ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ସେମାନଙ୍କୁ ସାଂସଦ ପଦ ହରାଇବାକୁ ପଡିବ ।

ସମ୍ବିଧାନର ଅନୁଛେଦ ୧୦୧(୨) ମୁତାବକ ଯଦି କୌଣସି ଲୋକସଭା ସଦସ୍ୟ ବିଧାନସଭା ନିର୍ବାଚନ ଲଢନ୍ତି ଓ ବିଜୟୀ ହୁଅନ୍ତି ତେବେ ତାଙ୍କୁ ନୋଟିଫିକେସନ ଜାରି ହେବାର ୧୪ ଦିନ ମଧ୍ୟରେ ବିଧାନସଭା କିମ୍ବା ଲୋକସଭା ପଦ ମଧ୍ୟରୁ ଗୋଟିଏ ପଦରୁ ଇସ୍ତଫା ଦେବାକୁ ପଡିବ ।

ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗ ବିଜୟୀ ପ୍ରାର୍ଥୀଙ୍କୁ ନୋଟିଫିକେସନ ଜାରି କରିଥାଏ । ପରମ୍ପରା ମୁତାବକ ଲୋକସଭା ସଦସ୍ୟ ଥିବା ବେଳେ କେହି ବିଧାୟକ ଭାବେ ଶପଥ ନେଇପାରିବେ ନାହିଁ । ଯଦି ଏଭଳି କରନ୍ତି ତେବେ ତାଙ୍କୁ ପ୍ରଥମେ ଲୋକସଭା ବାଚସ୍ପତିଙ୍କୁ ସୂଚନା ଦେବାକୁ ପଡିଥାଏ ।