ମଧ୍ୟପ୍ରଦେଶ ରାଜନୀତି: କାଲି ବିଧାନସଭାରେ ଶକ୍ତି ପରୀକ୍ଷା ଦେବ କମଳନାଥ ସରକାର । ବିଦ୍ରୋହୀ ବିଧାୟକଙ୍କ ଉପରେ ସମସ୍ତଙ୍କ ନଜର

କମଳନାଥ କହିଲେ, ଆଉ ୧୦ ବର୍ଷ କରିବି ଶାସନ

461

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାରି ଭିତରେ ଆସନ୍ତାକାଲି ବିଧାନସଭାର ଶକ୍ତି ପରୀକ୍ଷା ଦେବେ କମଳନାଥ । ଏନେଇ ରାଜ୍ୟପାଳ ଲାଲଜୀ ଟଣ୍ଡନ ବାଚସ୍ପତିଙ୍କୁ କହିଛନ୍ତି । ତେବେ ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ଆଜି ଭୋପାଲ ପହଂଚିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ସେମାନଙ୍କ ଉପରେ କମଳନାଥ ପ୍ରବଳ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ରାଜ୍ୟପାଳଙ୍କୁ ଭେଟି ୨ ଦିନ ମଧ୍ୟରେ ଶକ୍ତି ପରୀକ୍ଷା କରାଯିବାକୁ ଦାବି କରିଥିଲେ । ରାଜ୍ୟପାଳ ଏହି ଦାବିକୁ ଗ୍ରହଣ କରି ନେଇଛନ୍ତି । ସେପଟେ ଇସ୍ତଫା ଦେଇଥିବା ୬ ଜଣ ବିଧାୟକଙ୍କ ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରି ନେଇଥିବା ଗତକାଲି ଘୋଷଣା କରିଥିଲେ । ଏହା ସହ ମନ୍ତ୍ରୀ ପଦରେ ଥିବା ବିଧାୟକଙ୍କୁ ପଦରୁ ହଟାଇ ଦିଆଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ସରକାର ଆହୁରି ୧୦ ବର୍ଷ ଶାସନରେ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ କମଳନାଥ ।