ମଧ୍ୟପ୍ରଦେଶ ରାଜନୀତିରେ ହଲଚଲ । ଭାଙ୍ଗିଯିବକି କମଲନାଥ ସରକାର, ଜାଣନ୍ତୁ କ’ଣ କହୁଛି ସଂଖ୍ୟା ଗଣିତ । 

485

କନକ ବ୍ୟୁରୋ : ମଧ୍ୟପ୍ରଦେଶ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦାୟ ସହ ସଂକଟରେ ପଡିଯାଇଛନ୍ତି କମଲନାଥ ସରକାର । ସଂଖ୍ୟାଲଘୁରେ ପରିଣତ ହୋଇଥିବା ସରକାର ଭାଙ୍ଗି ଯାଇପାରେ । ସିନ୍ଧିଆଙ୍କ ବିଦାୟ ପରେ ଦଳ ଛାଡିଛନ୍ତି ୨୨ ଜଣ କଂଗ୍ରେସ ବିଧାୟକ । ଏମାନଙ୍କ ଭିତରେ କମଲନାଥ ସରକାରରେ ଥିବା ମନ୍ତ୍ରୀ ମଧ୍ୟ ରହିଛନ୍ତି ।

୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶର ମୋଟ ୨୩୦ ଆସନରୁ ସର୍ବାଧିକ ୧୧୪ଟି ଆସନରେ ଜିତି ସରକାର ଗଢିଥିଲା କଂଗ୍ରେସ । ବିଜେପିକୁ ୧୦୯ଟି ଆସନ ମିଳିଥିବାବେଳେ ବିଏସପି ୨, ଏସପି ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନରେ ଜିତିଥିଲେ । ଏବେ ୨୨ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ମୋଟ ସଦସ୍ୟ ସଂଖ୍ୟା ୨୦୮କୁ ଖସିଆସିଛି । ଫଳରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୦୫ । ୨୨ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ଦଳର ସଦସ୍ୟ ସଂଖ୍ୟା ୯୨କୁ ଖସିଆସିଛି ।

ତେଣୁ ସରକାରରେ ରହିବା ପାଇଁ ଦଳକୁ ଆଉ ୧୩ ସଦସ୍ୟଙ୍କ ସମର୍ଥନ ଦରକାର । ତେବେ କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ବିଏସପିର ୨, ଏସପି ୧ ଓ ୪ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ରହିଥିଲା । ଏମାନଙ୍କ ସମର୍ଥନ ପୂର୍ବପରି ରହିଲେ ମଧ୍ୟ ଆହୁରି ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି କଂଗ୍ରେସ । ସେପଟେ କିନ୍ତୁ ସରକାର ଗଢିବା ପାଇଁ ବିଜେପି ନିକଟରେ ଆବଶ୍ୟକ ସଂଖ୍ୟା ରହିଛି । କାରଣ ଗତ ନିର୍ବାଚନରେ ଦଳ ୧୦୯ଟି ଆସନ ପାଇଛି । ପୁଣି ପରିବର୍ତ୍ତିତ ସମୀକରଣରେ ଏସପି, ବିଏସପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ କଂଗ୍ରେସ ପ୍ରତି ରହିବ ନା ବିଜେପି ପଟକୁ ଯିବ ତାକୁ ନେଇ ମଧ୍ୟ ସନ୍ଦେହ ରହିଛି ।

ଅନୁମାନ କରାଯାଉଛି କମଲନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଜଣାଇପାରେ ବିଜେପି । ଏହା ସମ୍ଭବ ହେଲେ ପୁଣି ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଖସିଯିବ ।