ମଧ୍ୟପ୍ରଦେଶରେ ରାଜନୀତିର ମହାନାଟକ ଜାରି । ଦିନ ତମାମର ଟଣାଓଟଣା ଭିତରେ ରାଜ୍ୟପାଳଙ୍କ ସାମ୍ନାରେ ୧୦୬ ବିଜେପି ବିଧାୟକଙ୍କ ପରେଡ । କାଲି ବହୁମତ ପରୀକ୍ଷା ଦେବାକୁ କମଲନାଥ ସରକାରଙ୍କୁ ଶେଷ ସୁଯୋଗ

2,834

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ସୋମବାର ଦିନ ବାଚସ୍ପତି ୨୬ ତାରିଖ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଛନ୍ତି । ତଥାପି ରାଜ୍ୟ ସରକାରଙ୍କ ପ୍ରତି ବିପଦ ଟଳିନାହିଁ । ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାର ଥିଲା କିନ୍ତୁ ଶେଷ ମୁହୁର୍ତ୍ତରେ ତାହା ଟଳି ଯାଇଥିଲା । ତେଣୁ ଏଥିରେ ବିଜେପି ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ ଫ୍ଲୋର ଟେଷ୍ଟ ଦାବି କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

ଅପରପକ୍ଷରେ ଶିବରାଜଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ଲାଳଜୀ ଟଣ୍ଡନଙ୍କୁ ଭେଟିଛନ୍ତି । ବହୁମତ ପରୀକ୍ଷା କରିବାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ବିଜେପି ୧୦୬ ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇଛି । ଏହାସହ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇ ସାରିଥିବା କହିଛି ବିଜେପି ।

ବିଜେପି ବିଧାୟକ ମାନେ ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂହ ରାଜ୍ୟପାଳଙ୍କୁ ଭେଟିଥିଲେ । ଅପରପକ୍ଷରେ ବିଧାନସଭା ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହେବା ଯୋଗୁଁ କଂଗ୍ରେସ ସରକାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ ମଙ୍ଗଳବାର ଦିନ କଂଗ୍ରେସ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଆଉ ଥରେ ଚିଠି ଲେଖିଛନ୍ତି ରାଜ୍ୟପାଳ

ସେପଟେ କଂଗ୍ରେସ ରବିବାର ରାତି ପ୍ରାୟ ୧୨ଟା ୨୦ରେ ରାଜ୍ୟପାଳଙ୍କୁ ଭେଟିଥିଲେ କମଳନାଥ । ଏହାପରେ କମଳନାଥ କହିଥିଲେ, ବିଧାନସଭା ଶାନ୍ତି ପୂର୍ବକ ଚାଲିବା ନେଇ ସେ ରାଜ୍ୟପାଳଙ୍କ ସହ କଥାବାର୍ତ୍ତା କରିଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କମଳନାଥ ଦୃଢୋକ୍ତି ପ୍ରକାଶ କରିଥିଲେ । ବିଧାନସଭାରୁ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ସରକାରରେ ଅସ୍ଥିରତା ଦେଖାଦେଇଛି । ସରକାର ଏକପ୍ରକାର ଅଳ୍ପମତକୁ ଆସିଯାଇଛି । ବିଜେପି ଆସ୍ଥାଭୋଟ ପାଇଁ ଦାବି କରିଥିବା ବେଳେ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି କମଳନାଥ ।