ଖେଳମନ୍ତ୍ରୀ ହେଲେ ଟ୍ରାଫିକ୍ ପୋଲିସ୍ ! କାର୍ ରୁ ଓହ୍ଲାଇ ଟ୍ରାଫିକ୍ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ ବାଟ , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ 

280

ମଧ୍ୟପ୍ରଦେଶରେ ଲଗାଣ ବର୍ଷା କାରଣରୁ ଜନଜୀବନ ଏବେ ଅସ୍ତବ୍ୟସ୍ତ ହୋଇପଡିଛି । ଖାସ୍ କରି ଭୋପାଲ ଏବଂ ଇନ୍ଦୋର୍ ଭଳି ସହରରେ ବର୍ଷା ଯୋଗୁଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଗତ ମଙ୍ଗଳବାର ଅନେକ ଅଞ୍ଚଳରେ ପାଣି ଜମିଥିବାରୁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା । ଟ୍ରାଫିକ୍ ଜାମ୍ ଭିତରେ ଅନେକ ସମୟ ଧରି ଲୋକମାନେ ଠିଆ ହୋଇ ରହିଥିଲେ । ଏହି ସମୟରେ ଟ୍ରାଫିକ୍ ଜାମ୍ ର ଶିକାର ହୋଇଥିଲେ ଖେଳମନ୍ତ୍ରୀ ଜିତୁ ପଟୱାରୀ । ଅଧିକ ସମୟ ଧରି ଟ୍ରାଫିକ୍ ଫସିଥିବା ଖେଳମନ୍ତ୍ରୀ ଏହାପରେ ନିଜେ ରାସ୍ତାକୁ ଆସି ଜାମ୍ କୁ ରାସ୍ତା କଢାଇଥିଲେ । ଟ୍ରାଫିକ୍ ପୋଲିସର ଭୁମିକା ନିଭାଇ ଖେଳମନ୍ତ୍ରୀ ଜିତୁ ପଟୱାରୀ ଲୋକଙ୍କ ପାଇଁ ଯାତାୟାତ ସୁଗମ କରିଥିଲେ । ତେବେ ଏହି ସମୟରେ ଉତ୍ତୋଳନ ହୋଇଥିବା ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ଜନତା ମଧ୍ୟ ତାଙ୍କର ଏହି କାମକୁ ଖୁବ୍ ପ୍ର୍ରଶଂସା କରୁଛନ୍ତି ।

ତେବେ ଟ୍ରାଫିକ୍ ଜାମ୍ ସମୟରେ ଖେଳମନ୍ତ୍ରୀ ଟ୍ରାଫିକ୍ ପୋଲିସ ଅଧିକାରୀଙ୍କୁ ଫୋନ୍ କରି ତାଗିଦ୍ ମଧ୍ୟ କରିଥିଲେ । ଟ୍ରାଫିକର ଢିଲା ବ୍ୟବସ୍ଥା ଏବଂ ଲୋକଙ୍କୁ ଏଥିରୁ ଆଶ୍ୱସ୍ତି ଦେବା ପାଇଁ ସେ ଅଧିକାରୀଙ୍କୁ କହିଥିଲେ । ତେବେ ତାଜୁବ୍ ର କଥା ହେଉଛି ଟ୍ରାଫିକ୍ ଜାମ୍ ସମୟରେ ନା ସେଠାରେ ଟ୍ରାଫିକ୍ ଲାଇଟ୍ ଜଳୁଥିଲା ନା କୌଣସି ଟ୍ରାଫିକ୍ ପୋଲିସକର୍ମୀ ସେଠାରେ ଉପସ୍ଥିତ ଥିଲେ । ଯେଉଁ କାରଣରୁ ଟ୍ରାଫିକ୍ ଜାମ୍ ଲାଗିଗଲା । ପଟୱାରୀ ନିଜ ଗାଡିରୁ ଓହ୍ଲାଇ ଗୋଟି ଗୋଟି କରି ସବୁ ଗାଡିକୁ ଏହି ସମସ୍ୟାରୁ ବାହାର କରିଥିଲେ ।