କେନ୍ଦ୍ରମନ୍ତ୍ରୀଙ୍କ ହେଲ୍ଥ ଟିପ୍ସ୍ । ମଦ ଏକ ବଡ ଟନିକ୍ । କରୋନା କାଳରେ ସ୍ୱାସ୍ଥ୍ୟପାଇଁ ନିହାତି ଜରୁରୀ

411

କନକ ବ୍ୟୁରୋ : ଡାକ୍ତର କହୁଛନ୍ତି ମଦ ସ୍ୱାସ୍ଥ୍ୟପକ୍ଷେ ହାନିକାରକ । ମଦ ପିଇବା ଦ୍ୱାରା ପରିବାର ତଥା ସମାଜରେ ଅଶାନ୍ତି ସୃଷ୍ଟି ହେଉଛି ବୋଲି ଦାବି କରି ଅନେକ ସାମାଜିକ ସଂଗଠନ ଦେଶରୁ ମଦ ବନ୍ଦ କରିବାକୁ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ହେଲେ ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଫଗନ ସିଂ କୁଲେସ୍ତାଙ୍କ ବୟାନ ଶୁଣିବା ପରେ ମଦୁଆଙ୍କ ମନ କୁଣ୍ଢେମୋଟ ହୋଇଯାଇଛି ।

ଆଜି ମଧ୍ୟପ୍ରଦେଶ ମଣ୍ଡଲାରେ ଏକ ସଭାକୁ ଉଦବୋଧନ ଦେବାକୁ ପହଂଚିଥିଲେ କେନ୍ଦ୍ର ଇସ୍ପାତ ରାଜ୍ୟମନ୍ତ୍ରୀ ଫଗନ ସିଂ କୁଲେସ୍ତା । ସେଠାରେ ସେ ମଦକୁ ନେଇ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ମଦ ମଣିଷ ଶରୀରରେ ଏକ ଟନିକ୍ ଭଳି କାମକରେ । କରୋନା କାଳରେ ସ୍ୱାସ୍ଥ୍ୟପାଇଁ ମଦର ନିତ୍ୟାନ୍ତ ଆବଶ୍ୟକତା ରହିଛି । ତେଣୁ ଦେଶରେ ମଦ ପିଇବା ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି ।

ସେ ଆହୁରି କହିଛନ୍ତି କି, କରୋନା କାଳରେ ଯେତେବେଳେ ରାଜ୍ୟ ସରକାରମାନେ ଲକଡାଉନ୍ ଘୋଷଣା କଲେ ସେତେବେଳେ ସବୁ ଦୋକାନ ବନ୍ଦ ହୋଇଗଲା । ଏହାପରେ ଯେତେବେଳେ ଦୋକାନ ଖୋଲିଲା ସେତେବେଳେ ମଦ ଦୋକାନ ଆଗରେ ଲୋକଙ୍କର ନାହିଁ ନଥିବାର ଭିଡ ଦେଖିବାକୁ ମିଳିଲା । ସେ ଆହୁରି କହିଛନ୍ତି କି ମଦ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଟନିକ୍ ଭଳି କାମ କରୁଥିବା ବେଳେ ଏହା ବି ସରକାରଙ୍କ ରାଜସ୍ୱ ଆଦାୟର ଏକ ବଡ ଭାଗ ପୂରଣ କରୁଛି । ଏହାସହ ମଦ କାରବାର ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୋଟିଏ ସୁ ସଂପର୍କ ସ୍ଥାପନ ହୋଇ ପାରୁଛି । ଏଥିପାଇଁ ସରକାର ନିଜ ହିସାବରେ ନିସ୍ପତ୍ତି ନେଉଛନ୍ତି । କାହିଁକି ନା ମଦ ପିଇବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ।