ଗଣତନ୍ତ୍ରର ସଚେତନ ନାଗରିକ । ବାପାଙ୍କ ଜୁଇରେ ମୁଖାଗ୍ନି ଦେଲେ, ପରେ ଭୋଟକେନ୍ଦ୍ରରେ ନେତା ବାଛିଲେ ।

119

କନକ ବ୍ୟୁରୋ : ଗଣତନ୍ତ୍ରର ଏମିତି ଜଣେ ନାଗରିକଙ୍କୁ ନେଇ ଏବେ ଚର୍ଚ୍ଚା, ଯିଏ ପ୍ରଥମେ ପୁଅର କର୍ତ୍ତବ୍ୟ ସମ୍ପାଦନ କଲେ ଏବଂ ପରେ ଭାରତର ଜଣେ ନାଗରିକର ଦାୟିତ୍ୱ ମଧ୍ୟ ନିର୍ବାହ କଲେ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଯେତେବେଳେ ଭୋଟ୍ ଗ୍ରହଣ ଚାଲିଥିଲା, ସେତେବେଳେ ଏହି ବ୍ୟକ୍ତିଜଣଙ୍କୁ ଦେଖି ସମସ୍ତେ ଅବାକ ହୋଇଯାଇଥିଲେ । କାରଣ ତାଙ୍କ ବେଶଭୂଷା ଥିଲା ଟିକିଏ ନିଆରା ।

ଶଶ୍ମାନରେ ବାପାଙ୍କ ଅନ୍ତିମ ସଂସ୍କାର ଶେଷ କରିବା ପରେ ଜଣେ ଭାରତୀୟ ନାଗରିକ ହିସାବରେ ମତଦାନ କେନ୍ଦ୍ରରେ ନେତା ବାଛିଛନ୍ତି ମଧ୍ୟପ୍ରଦେଶର ଏହି ଯୁବକ । ୭ଟି ରାଜ୍ୟର ୫୧ଟି ସଂସଦୀୟ କ୍ଷେତ୍ରରେ ସୋମବାର ମତଦାନ ଚାଲିଥିବା ବେଳେ ଏହି ନାଗରିକ ଜଣକ ନିଜର ନାଗରିକ ଦାୟିତ୍ୱକୁ ନିହାତି ଦୁଃଖ ସମୟରେ ବି ଭୁଲିଯାଇ ନାହାନ୍ତି ।

ଏହି ଯୋଗ୍ୟ ପୁଅ ତଥା ସଚେତନ ନାଗରିକଙ୍କର ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି । ଧଳା କପଡ଼ା ପିନ୍ଧି, ଖିଅର ହୋଇ ମତଦାନ କେନ୍ଦ୍ରରେ ପହଞ୍ଚିଥିବା ଏହି ବ୍ୟକ୍ତିଙ୍କ ଫଟୋ ଏବେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଘୂରିବାରେ ଲାଗିଛି । ବ୍ୟକ୍ତି ଜଣଙ୍କୁ ଏବେ ସୋସିଆଲ୍‌ ମିଡିଆରେ ଭୂରି ଭୂରି ପ୍ରଶଂସା ମିଳିଛି ।

ସେହିପରି ଆଜିର ନିର୍ବାଚନରେ ଆଉ ଏକ ଆକର୍ଷଣ ସାଜିଥିଲେ ୧୦୫ ବର୍ଷୀୟା ବୃଦ୍ଧା । ଝାଡଖଣ୍ଡର ଏହି ବୃଦ୍ଧା ଜଣକ ନିଜର ନାଗରିକ ଦାୟିତ୍ୱ ତୁଲାଇବା ପାଇଁ ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ । ମହିଳା ଜଣକ ତାଙ୍କ ପୁଅ ସହ ସାଥି ହୋଇ ଭୋଟ ଦେବାକୁ ଆସିଥିଲେ ।

Comments are closed.