କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟ ଭିତରେ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଆଜି ଅପରାହ୍ନ ୫ଟା ସୁଦ୍ଧା ବିଧାନସଭାରେ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୨ ବିଧାୟକଙ୍କ ବିଦ୍ରୋହ ଏବଂ ଇସ୍ତଫା ପରେ କମଳନାଥ ସରକାର ପାଇଁ ବଡ଼ ସଙ୍କଟ ସୃଷ୍ଟି ହୋଇଛି। ଗୃହରେ ଶକ୍ତି ପରୀକ୍ଷା ସମୟରେ ବିଧାୟକମାନେ ହାତ ଉଠାଇ ଭୋଟ୍ ପ୍ରକ୍ରିୟାରେ ସାମିଲ ହେବେ ଏବଂ ଗୃହର ସମସ୍ତ କାର୍ଯ୍ୟର ଭିଡିଓ ରେକର୍ଡିଂ ହେବ।
ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶରେ କୁହାଯାଇଛି ଯେ ବିଦ୍ରୋହୀ ବିଧାୟକମାନଙ୍କ ଆସିବାରେ ଯେଭଳି କୌଣସି ପ୍ରତିବନ୍ଧକ ନହୁଏ ସେ ଦିଗରେ ପଦକ୍ଷେପ ନେବାକୁ ହେବ। ଏହା ସହିତ ସମସ୍ତ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଏବେ ଦୁର୍ନୀତିଗ୍ରସ୍ତ କମଳନାଥ ସରକାରର ପତନ ପାଇଁ ରାସ୍ତା ସଫା ହୋଇଯାଇଛି। ସରକାର ଗୃହରେ ଶକ୍ତି ପରୀକ୍ଷାକୁ ଆଉ ଏଡ଼ାଇ ପାରିବେ ନାହିଁ ବୋଲି ସେ କହିଛନ୍ତି।