କରୋନା କାଳରେ ଜେଲରୁ ପାରୋଲେରେ ଯାଇ ଫେରି ନାହାନ୍ତି ୧୫୩୬ କଏଦୀ । ୪୭ ଜଣଙ୍କର ମୃତ୍ୟୁ ।

346

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସଂକ୍ରମଣ ଭୟରେ ଜେଲରୁ ପାରୋଲରେ ପଠାଇ ଦିଆଯାଇଥିବା କଏଦୀ ମାନଙ୍କ ମଧ୍ୟରୁ ଅନେକ କଏଦୀ ଜେଲକୁ ନଫେରିବା ନେଇ ଏବେ ଚର୍ଚ୍ଚା ହୋଉଛି । କରୋନାର ପ୍ରଥମ ଲହର ବେଳେ ରାଜ୍ୟର ବିଭିନ୍ନ ଜେଲରୁ ୪୫୦୦ କଏଦୀଙ୍କୁ ପାରୋଲରେ ପଠାଇ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୨୨ ଜଣ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କର କୌଣସି ପତ୍ତା ମିଳିନାହିଁ । ଏହି ରିପୋର୍ଟ ନିଜେ ମଧ୍ୟପ୍ରଦେଶ ସରକାର ଜବଲପୁର ହାଇକୋର୍ଟରେ ଦାଖଲ କରିଛନ୍ତି ।

କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ କରୋନାର ପ୍ରଥମ ଲହର ପରେ ୪୫୦୦ କଏଦୀଙ୍କୁ ଛାଡି ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫୩୬ ଜଣ କଏଦୀ ଜେଲକୁ ଫେରି ନାହାନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କର ପତ୍ତା ମିଳି ନଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଜେଲରେ କରୋନା ସଂକ୍ରମଣ ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

ମଧ୍ୟପ୍ରଦେଶ ଜେଲରେ କ୍ଷମତାରୁ ଅଧିକ କଏଦୀ ଥିବାରୁ ହାଇକୋର୍ଟ ଏହା ଉପରେ ବିଚାର କରି ଜେଲରେ ଯେଭଳି କରୋନା ସଂକ୍ରମଣ କମ୍ ହେବ ସେନେଇ ରାଜ୍ୟ ସରକାରଙ୍କୁ କିଛି ପରାମର୍ଶ ଦେଇଥିଲେ । କୋର୍ଟ କହିଥିଲା କି ୭ ବର୍ଷରୁ କମ୍ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀ ମାନଙ୍କୁ ପାରୋଲରେ ଛାଡି ଦିଆଯାଉ । ଏହାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ୪୫୦୦ କଏଦୀଙ୍କୁ ପାରୋଲରେ ଛାଡିଥିଲେ ।