ଟିକା ନେଇ ନଥିଲେ ମିଳିବନି ମଦ, ଜାଣନ୍ତୁ କେଉଁଠି ଲାଗୁହେଲା ଏଭଳି ନିୟମ

78

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଲଢିବାକୁ ସରକାର ଟିକାକରଣକୁ ପ୍ରାଧାନ୍ୟ ଦେଇଛନ୍ତି । ଏହି କ୍ରମରେ ଗୁରୁବାର ସୁଦ୍ଧା କୋ-ୱିନ୍ ଆପରୁ ମଳିଥିବା ରିପୋର୍ଟ ମୁତାବକ ଦେଶରେ ୧ ଶହ ୧୫ କୋଟି ଲୋକ ଟିକା ନେଇଛନ୍ତି । ହେଲେ ଏବେ ବି କିଛି ଲୋକ ଟିକାର ଉଭୟ ଖୋରାକ ବା ଗୋଟିଏ ବି ଖୋରାକ ନେଇ ନାହାଁନ୍ତି । ସେମାନଙ୍କୁ ସଚେତନ କରିବା ଓ ଦେଶରେ ଶତ ପ୍ରତିଶତ ଟିକାକରଣ କରାଇବାକୁ ରାଜ୍ୟ ସରକାରମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବେଳେ ମଧ୍ୟ ପ୍ରଦେଶର ଗୋଟିଏ ଜିଲ୍ଲାରେ ଅବକାରୀ ବିଭାଗ ଏକ ନୂଆ ତରିକା ଆପଣାଇଛି ।

ମଧ୍ୟ ପ୍ରଦେଶ ଖଣ୍ଡବା ଜିଲ୍ଲାର ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି କି ଯେଉଁମାନେ ଟିକାର ଉଭୟ ଡୋଜ ନେଇ ନାହାଁନ୍ତି ସେମାନଙ୍କୁ ସରକାରୀ ମଦ ଦୋକାନରୁ ମଦ ମିଳିବ ନାହିଁ । ଏନେଇ ମଦ ଦୋକାନୀମାନେ ମଦ ବିକ୍ରି କରିବା ପୂର୍ବରୁ କିଣୁଥିବାର ଲୋକର ଟିକାକରଣ ସାର୍ଟିଫିକେଟ ଯାଂଚ କରିବାକୁ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି । ଅର୍ଥାତ ଅବକାରୀ ବିଭାଗ ସ୍ପଷ୍ଟ କରିଛି କି କେବଳ ଟିକାର ଉଭୟ ଖୋରାକ ନେଇଥିବା ଲୋକମାନେ ହିଁ ମଦ କିଣିପାରିବେ । କହିରଖୁ କି ଖଣ୍ଡବା ଅବକାରୀ ବିଭାଗ ଜିଲ୍ଲାରେ ଥିବା ୧୯ ଟି ବିଦେଶୀ ମଦଦୋକାନ ଓ ୫୬ ଟି ଦେଶୀ ମଦ ଦୋକାନକୁ ଏଭଳି ନୋଟିସ ପଠାଇଛି ।

ଖଣ୍ଡବା ଅବକାରୀ ଅଧିକାରୀ ପି.କିରଣ କହିଛନ୍ତି କି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା କି, ମଦ ପିଉଥିବା ଲୋକଙ୍କ ପାଇଁ ବି ଟିକାର ଉଭୟ ଖୋରାକ ଲଗାଇବା ଜରୁରୀ । ଯେଉଁମାନେ ଟିକା ନେଇଛନ୍ତି କେବଳ ସେମାନଙ୍କୁ ମଦ ବିକ୍ରି କରାଯାଉ ।

ଅନ୍ୟପଟେ ମଧ୍ୟ ପ୍ରଦେଶ ପର୍ଯ୍ୟଟନ ବିଭାଗ ଦ୍ୱାରା ବିକଶିତ ହୋଇଥିବା ହନୁବନ୍ତିଆ ଟାପୁ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ୬ ଷ୍ଠ ଜଳ ମହୋତ୍ସବକୁ ନେଇ ବି ଗାଇଡ ଲାଇନ ଜାରି କରାଯାଇଛି । ନଭେମ୍ବର ୨୦ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଔପଚାରିକ ଭାବେ ଏହାକୁ ଉଦଘାଟନ କରିବେ । ଏନେଇ ପର୍ଯ୍ୟଟନ ବିଭାଗ କହିଛି କି, ଯେଉଁମାନେ ଟିକାର ଉଭୟ ଖୋରାକ ନେଇଥିବେ ସେହିମାନଙ୍କୁ କେବଳ ପର୍ଯ୍ୟଟନସ୍ଥଳୀ ଭ୍ରମଣର ସୁଯୋଗ ମିଳିବ ।