ଇଂଜିନିୟରିଂ ପାଠ୍ୟକ୍ରମରେ ରାମାୟଣ ମହାଭାରତ, ମଧ୍ୟପ୍ରଦେଶ ସରକାରଙ୍କ ନିଷ୍ପତ୍ତି

118

କନକ ବ୍ୟୁରୋ: ମଧ୍ୟପ୍ରଦେଶର କଲେଜରେ ଏଣିକି ପଢାଯିବ ରାମାୟଣ, ମହାଭାରତ ଓ ଶ୍ରୀରାମଚରିତ ମାନସ ଭଳି ମହାପୁରାଣ । ସେହିପରି ଇଂଜିନିଅରିଙ୍ଗ ପାଠ୍ୟକ୍ରମରେ ମଧ୍ୟ ରାମାୟଣ ଓ ମହାଭାରତ ବଢାଯିବ ବୋଲି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଚଳିତ ଶିକ୍ଷା ବର୍ଷରୁ ଶ୍ରୀରାମଚରିତ ମାନସକୁ ବିକଳ୍ପ ବିଷୟ ଭାବେ ରଖାଯିବ । ସ୍ନାତକ ଶ୍ରେଣୀର ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ରାମଚରିତ ମାନସ , ମହାଭାରତ ବିଷୟ ବ୍ୟତୀତ ଯୋଗ ଓ ଧ୍ୟାନ ବିଷୟ ମଧ୍ୟ ପଢିବେ । ସେହିଭଳି ଇଂଲିଶର ଫାଉଣ୍ଡେସନ୍ କୋର୍ସରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ସି. ଗୋପାଳଚାରୀଙ୍କ ରଚିତ ମହାଭାରତର ପ୍ରସ୍ତାବନା ପଢିବେ । ରାଜ୍ୟ ଶିକ୍ଷା ବିଭାଗର କହିବା ମୁତାବକ, ଇଂଲିଶ ଓ ହିନ୍ଦୀ ବ୍ୟତୀତ ଯୋଗ ଓ ଧ୍ୟାନକୁ ତୃତୀୟ ଫାଉଣ୍ଡେସନ କୋର୍ସ ଭାବେ ପଢାଯିବ । ନୂଆ ପାଠ ଖସଡାରେ ଭଗବାନ୍ ଶ୍ରୀରାମଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଶ୍ରୀରାମ କିପରି ଆଜ୍ଞାଧିନ ଥିଲେ ଓ ତାଙ୍କର ଇଜିନିୟରିଙ୍ଗ ଜ୍ଞାନ କେତେ ଥିଲା ତାହା ଜାଣିବା ପାଇଁ ଇଂଜିନିଅରି କୋର୍ସରେ ଏହାକୁ ସ୍ଥାନିତ କରାଯାଇଛି ।

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବଙ୍କ କହିବା ମୁତାବକ, ଛାତ୍ରଛାତ୍ରୀଙ୍କୁ ଜୀବନର ମୂଲ୍ୟବୋଧ ଉପରେ ଜାଣିବା ଓ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ଲାଗି ଏସବୁ ବିଷୟକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ରାମଚରିତ ମାନସ ଓ ମହାଭାରତରୁ ଛାତ୍ରଛାତ୍ରୀମାନେ ଶିକ୍ଷିତ ହେବା ସହ ଜୀବନ ଜିଇଁବାର ପ୍ରେରଣା ପାଇବେ । ମେସାନଙ୍କୁ ଭଲ ମଣିଷ କରି ଗଢିବାକୁ ଏପରି ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଅନ୍ୟ ପଟେ ଶିକ୍ଷା ବିଭାଗର ଏପରି ନଷ୍ପତ୍ତିିକୁ କଂଗ୍ରେସର କିଛି ବିଧାୟକ ଓ ନେତା ବିରୋଧ କରିଛନ୍ତି । ପୁରାଣ ଶାସ୍ତ୍ରକୁ ପାଠ ସହ ଏକାଠି କରି ପିଲାମାନଙ୍କୁ ଭୁଆଁ ବୁଲାଇବାକୁ ସରକାର ଚେଷ୍ଟା କରୁଥିବା ଅନେକ ବିରୋଧୀ ନେତା ଅଭିଯୋଗ କରିଛନ୍ତି ।