କନକ ବ୍ୟୁରୋ: ମଧ୍ୟପ୍ରଦେଶ ଜବଲପୁର ଆରଟିଓ ସନ୍ତୋଷ ପାଲ ସିଂହଙ୍କ ଘରେ ଇଓଡବ୍ଲୁ ରେଡ କରିଛି । ଆରଟିଓଙ୍କ ଘରେ ଅପରିଜ୍ୟାପ୍ତ ଟଙ୍କା, ଅନ୍ୟ ସମ୍ପତ୍ତି ଦେଖି ଇଓଡବ୍ଲୁ ଅଧିକାରୀଙ୍କ ହୋସ୍ ଉଡିଯାଇଥିଲା । କୋଟି କୋଟି ଟଙ୍କା, ଅଳାଙ୍କାର, ଫାର୍ମହାଉସ୍ ସାଙ୍ଗକୁ ଦାମୀ ଦାମୀ କାର୍ । କେବଳ ଏତିକି ନୁହେଁ ଆରଟିଓ ଜଣକ ନିଜ ଘର ଭିତରେ ହିଁ ସିନେମା ହଲ ବନେଇଥିବା ଦେଖି ଚମକିପଡିଥିଲେ ଯାଞ୍ଚ ଅଧିକାରୀ ।
ଆର୍ଟିଓ ଅଫିସରଙ୍କ ଘରର ଡ୍ରଇଂ ରୁମ୍ ଠାରୁ ଆରମ୍ଭ କରି ବାଥରୁମ ଯାଏ ସବୁଠି କଳା ଟଙ୍କାର ଛାପ ରହିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏହି ସରକାରୀ ବାବୁ ଜଣକ ଘର ଭିତରେ ହିଁ ନିଜ ପାଇଁ ଏକ ବିଳସପୂର୍ଣ୍ଣ ସିନେମା ହଲ୍ ମଧ୍ୟ ତିଆରି କରିଛନ୍ତି।
ଇଓଡବ୍ଲୁ ଏସ୍ପି ଦେବେନ୍ଦ୍ର ପ୍ରତାପ ସିଂହଙ୍କ ଅନୁସାରେ ଆର୍ଟିଓ ସନ୍ତୋଷ ପାଲ ଓ ତାଙ୍କ ପତ୍ନୀ ରେଖା ପାଲଙ୍କ ପାଖରେ ଆୟବର୍ହିଭୂତ ସମ୍ପତି ଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ବୁଧବାର ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତି ତାଲିକା ମିଳିବା ସହ ପିପି କଲୋନୀ ଗ୍ୱାରିଘାଟରେ ୧୨୪୭ ବର୍ଗଫୁଟ ଅଞ୍ଚଳରେ ତିଆରି ଘରର ଡକ୍ୟୁମେଣ୍ଟ ମଧ୍ୟ ମିଳିଥିଲା।
ସେହିପରି ଶଙ୍କର ଶାହ ୱାର୍ଡରେ ୧୧୫୦ ବର୍ଗଫୁଟ, ଶତାବ୍ଦିପୁରମରେ ୧୦ ହଜାର ବର୍ଗଫୁଟର ଦୁଇଟି କୋଠା, କସ୍ତୁରବା ଗାନ୍ଧି ୱାର୍ଡରେ ୫୭୦ ବର୍ଗ ଫୁଟ ଓ ଗଢ଼ାଫାଟରେ ୭୭୧ ବର୍ଗଫୁଟର ଘର ବ୍ୟତୀତ ୧.୪ ଏକର ଜମିରେ ତିଆରି ଫାର୍ମ ହାଉସର ଦସ୍ତାବିଜ ମଧ୍ୟ ଇଓଡବ୍ଲୁ ହାତରେ ଲାଗିଥିଲା। ଏହାପରେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଉକ୍ତ ଆର୍ଟିଓ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଖୁବଶୀଘ୍ର ସରକାରୀ ବାବୁ ଜଣକ ଗିରଫ ହୋଇପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/08/42-9.jpg)