କନକ ବ୍ୟୁରୋ : ନିର୍ବାଚନ ଜିତିବା ପାଇଁ ମଧ୍ୟପ୍ରଦେଶ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଏବେ ସରକାର ପାଇଁ ବଡ ଚ୍ୟାଲେଞ୍ଜ ପାଲଟି ଯାଇଛି । ଗୋଟିଏ ପଟେ ଲୋକସଭା ନିର୍ବାଚନ ପୂର୍ବରୁ ସରକାରକୁ ପ୍ରତିଶ୍ରୁତି ପୂରଣ କରିବାକୁ ପଡିବ ତ ସେପଟେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ମଧ୍ୟପ୍ରଦେଶ ଭୋଟର ମାନେ ଓ ବିରୋଧୀଦଳ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ହେଲେ ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ । ପରିସ୍ଥିତି ଏଭଳି ହୋଇଛି କି ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ତୁରନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଋଣ ମାଗିବା ଆରମ୍ଭ କରିଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨ ସପ୍ତାହ ମଧ୍ୟରେ ମହୋନ ଯାଦବ ରାଜ୍ୟର ଖର୍ଚ୍ଚକୁ ପୂରା କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୨ ହଜାର କୋଟି ଟଙ୍କାର ଋଣ ମାଗିଛନ୍ତି । ସେପଟେ ମୋହନ ଯାଦବଙ୍କ ପୂର୍ବରୁ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂ ଚୌହାନ ପାଖାପାଖି ୪ ଲକ୍ଷ କୋଟି ଟଙ୍କା ଋଣ କରିସାରିଛନ୍ତି ।
ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଯେଉଁ ଲାଡଲୀ ବେହେନା ଯୋଜନା ପାଇଁ ବିଜେପିର ବଡ ବିଜୟ ହୋଇଛି ବୋଲି କୁହାଯାଉଛି ଏହା ପାଇଁ ରାଜ୍ୟବାସୀଙ୍କୁ ବହୂମୂଲ୍ୟ ଦେବାକୁ ପଡିଛି । ଏନେଇ ଶିବରାଜସିଂ ଚୌହାନ ସରକାର ୨୦୨୩ ମସିହାରେ ୪୪ ହଜାର କୋଟି ଟଙ୍କା ଋଣ କରିଛନ୍ତି । ଏହାସହ ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେବା ପରେ ଯେଉଁ ୫ ହଜାର କୋଟି ଟଙ୍କା ଋଣ ରାଜ୍ୟ ସରକାର ନେଇଛନ୍ତି ତାହା ମଧ୍ୟ ଅନ୍ତର୍ଭୁକ୍ତ । ଅନୁମାନ କରାଯାଉଛି କି ଏହି ଋଣର ଏକ ବଡ ଭାଗ କେବଳ ଲାଡଲୀ ବେହେନା ଯୋଜନାରେ ବିନିଯୋଗ କରାଯାଇଛି । ଏବେ ନୂଆ ସରକାର ଆସିବା ବେଳକୁ ରାଜ୍ୟ ରାଜକୋଷ ଖାଲି ପଡିଛି । ସେପେଟ ସରକାରଙ୍କ ପାଖରେ ନିର୍ବାଚନ ପ୍ରତିଶ୍ରୁତିର ଏକ ଲମ୍ବା ତାଲିକା ପଡି ରହିଛି । ବିଜେପି ଭୟ କରୁଛି କି ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନକଲେ ଲୋକସଭା ନିର୍ବାଚନରେ ଏହାର ପ୍ରଭାବ ପଡିପାରେ ।