ନିର୍ବାଚନରେ ପରାଜୟ ପରେ ବଦଳିଲା ମଧ୍ୟପ୍ରଦେଶ କଂଗ୍ରେସ ମୁଖିଆ । ପିସିସି ସଭାପତି ପଦରୁ ହଟିଲେ କମଳନାଥ, ଜିତୁ ପଟୱାରୀଙ୍କୁ ଦାୟିତ୍ୱ ।

92

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ପରାଜୟ ପରେ ସଙ୍ଗଠନରେ ବଡ ପରିବର୍ତ୍ତନ କରିଛି କଂଗ୍ରେସ । ଦଳ କମଳନାଥଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ଉମଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳ ନେତା କରିଛି ଦଳ ।

ପଟୱାରୀ ଓ ଉମଙ୍ଗ ରାଜର ବରିଷ୍ଠ ନେତା କମଳନାଥ ଓ ଦିଗବିଜୟ ସିଂହଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା । ଜିତୁ ପଟ୍ଟୱାରୀ ଏଥର ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିଲେ । ୨୦୧୩ ଓ ୨୦୧୮ରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ହେବା ପରେ ଜିତୁ ପଟ୍ଟୱାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କମଳନାଥ । ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସ ବଡ ପରିବର୍ତନ ହେବ ବୋଲି ଚର୍ଚ୍ଚା ହେଉଥିଲା । ସେହିଭଳି ଛତିଶଗଡରେ ପୂର୍ବତନ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ ବିରୋଧୀ ଦଳ ନେତା ହେବେ । ଦୀପକ ବୈଜ ପ୍ରଦେଶ ସଭାପତି ରହିବେ ।

ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦିଲ୍ଲୀରେ ସମୀକ୍ଷା ବୈଠକ ଡାକିଥିଲେ । ଏହା ପରେ ୩ ରାଜ୍ୟର ସଙ୍ଗଠନରେ ବଡ ପରିବର୍ତନ ହେବ ବୋଲି ଚର୍ଚ୍ଚା ହେଉଛିଲା । ଏହି ଦୁଇ ରାଜ୍ୟ ପରେ ରାଜସ୍ଥାନରେ କଂଗ୍ରେସର ବଡ ପରିବର୍ତନ ହେବ ବୋଲି କୁହାଯାଉଛି ।