ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? କାହା ହାତରେ ନେତୃତ୍ୱର ଭାର ଦେବେ ବିଜେପିର ଶୀର୍ଷ ନେତୃତ୍ୱ । ପଢନ୍ତୁ, ସମ୍ପୂର୍ଣ୍ଣ ଷ୍ଟୋରୀ…

75

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବିଜେପିକୁ ବହୁମତ ମିଳିବା ପରେ, ଏବେ ଏହି ୩ ରାଜ୍ୟରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଏହି ତିନି ରାଜ୍ୟରେ ଦଳ କୌଣସି ବି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିନଥିଲା । ନିର୍ବାଚନରେ କେବଳ ମୋଦୀଙ୍କ ଚେହେରାକୁ ନେଇ ଲୋକଙ୍କ ପାଖକୁ ଯାଇଥିଲା ବିଜେପି । ତେଣୁ ଏବେ ବହୁମତ ମିଳିବା ପରେ ଦଳ କେଉଁ ନେତାଙ୍କ ଉପରେ ନେତୃତ୍ୱ ଭାର ଦେଉଛି ତାକୁ ନେଇ ବଢିଛି ଚର୍ଚ୍ଚା ଆଉ ଆଲୋଚନା ।

ଛତିଶଗଡର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଛନ୍ତି ତିନି ଥରର ମୁଖ୍ୟମନ୍ତ୍ରୀ ରମଣ ସିଂହ । ଏହାବାଦ୍ ଛତିଶଗଡ ବିଜେପି ଅଧ୍ୟକ୍ଷ ଅରୁଣ ସାବ, ସରୋଜ ପାଣ୍ଡେ, ରେଣୁକା ସିଂହ ଏବଂ ଓପି ଚୌଧୁରୀ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ହେଲେ ଛତିଶଗଡରେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସେଭଳି କୌଣସି ହଲଚଲ ଦେଖିବାକୁ ମିଳୁନାହିଁ । ରମଣ ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନରେ, ବିଧାୟକ ଦଳ ହିଁ ନିଷ୍ପତ୍ତି ନେବ ବୋଲି ଉତ୍ତର ରଖିଛନ୍ତି ।

ଅନ୍ୟପଟେ ମ ଧ୍ୟପ୍ରଦେଶରେ ମଧ୍ୟ ସେହି ସମାନ ସ୍ଥିତି । ମଧ୍ୟପ୍ରଦେଶରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳିସାରିଛି । ଆଉ ଦଳ ଏଠାରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ହେଲେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବଢିଛି ରାଜନୀତିର ପାରା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଦଳ ପୁଣିଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ ବୋଲି ଅନେକ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି । ନଚେତ୍ ପହ୍ଲାଦ ପଟେଲ, ନରେନ୍ଦ୍ର ସିଂହ ତୋମାର, କୈଳାସ ବିଜୟବର୍ଗୀୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ ବାଛିବ ସେନେଇ ଅଧିକ ଟେନସନରେ ଅଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିଏମ୍ ରେସର ସବୁଠୁ ଆଗରେ ରହିଛନ୍ତି । ଏମିତିକି ନିର୍ବାଚନ ଫଳାଫଳ ବାହାରିବା ପରେ ସେ ହିଁ ଏକମାତ୍ର ନେତା ଭାବେ ସକ୍ରିୟ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୬୮ ବିଧାୟକଙ୍କ ସହ କଥା ହେଇସାରିଥିବାବେଳେ, ୨୮ ଜଣ ବିଧାୟକଙ୍କୁ ଭେଟି ମଧ୍ୟ ସାରିଲେଣି । ତେଣୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାବାଦ୍, ଦିୟା କୁମାରୀ, ଓମ ବିର୍ଲା, ଭୁପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବାବା ବାଲକନାଥଙ୍କ ଭଳି ନେତା ମଧ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ତେଣୁ ଏମାନଙ୍କ ଭିତରୁ କେଉଁ ନେତାଙ୍କୁ ଦଳ ଦାୟିତ୍ୱ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।