କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବର୍ତ୍ତମାନ ପାଇଁ ବାତିଲ ହୋଇଛି ପଂଚାୟତ ନିର୍ବାଚନ । ଆଇନ ବିଶେଷଜ୍ଞଙ୍କ ପରାମର୍ଶ ପରେ ରାଜ୍ୟ ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି । ତିନୋଟି ପର୍ଯ୍ୟାୟରେ ମଧ୍ୟପ୍ରଦେଶରେ ପଂଚାୟତ ନିର୍ବାଚନ ହେବାର କାର୍ଯ୍ୟକ୍ରମ ଥିଲା । ଜାନୁଆରୀ ୬, ଜାନୁଆରୀ ୨୮ ଓ ଫେବ୍ରୁଆରୀ ୧୬ରେ ମତଦାନ ହୋଇଥାନ୍ତା । ଓବିସି ସଂରକ୍ଷଣକୁ ନେଇ ବିବାଦ ଭିତରେ ପଂଚାୟତ ନିର୍ବାଚନକୁ ବର୍ତମାନ ପାଇଁ ବାତିଲ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

Advertisment

ଆୟୋଗ କହିଛନ୍ତି, ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଅମାନତ ଜମା କରିଥିଲେ , ତାକୁ ଫେରାଇଦିଆଯିବ । ନିର୍ବାଚନକୁ ବର୍ତମାନ ବାତିଲ କରିବାକୁ ମଧ୍ୟପ୍ରଦେଶ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀଙ୍କ ମତାମତ ନେଇଥିଲେ । ଡିସେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନକୁ ସାଧାରଣବର୍ଗରେ ପରିଣତ କରି ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଧ୍ୟପ୍ରଦେଶ ସରକାର ପଂଚାୟତିରାଜ ସଂଶୋଧନ ଅଧ୍ୟାଦେଶକୁ ପ୍ରତ୍ୟାହାର କରିଥିଲେ । ଏହାପରେ ଅନୁମାନ କରାଯାଉଥିଲା ପଂଚାୟତ ନିର୍ବାଚନ ବାତିଲ ହୋଇପାରେ ।