ମଧ୍ୟପ୍ରଦେଶ : କାଲିଠାରୁ ଖୋଲିବ ସ୍କୁଲ । ଦ୍ୱାଦଶ ଶ୍ରେଣୀ ପାଇଁ କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି

81

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସରକାର କରୋନା କଟକଣା କୋହଳ କରିବା କ୍ରମରେ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସରକାର ଏକ ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନ ମୁତାବକ ଗୋଟିଏ ଶ୍ରେଣୀରେ ସର୍ବାଧିକ ୧୫ ଜଣ ପିଲା ବସିପାରିବେ । ଏହା ସହ ପିଲାଙ୍କୁ ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ହେବ ।

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ସ୍କୁଲମାନଙ୍କରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ ସବୁ କ୍ଲାସର ଡେସ୍କରେ କ୍ରସ ଓ ଟିକ୍ ମାର୍କ ଲଗାଯାଇଛି । କ୍ଲାସରୁମରେ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସ୍କୁଲ ଆସୁଥିବା ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ ସ୍କୁଲ ଆସୁଥିବା ପିଲାମାନେ ସେମାନଙ୍କ ଅବିଭାବକମାନଙ୍କ ଠାରୁ ଅନୁମତି ପତ୍ର ଆଣିବାକୁ କୁହାଯାଇଛି । ଶିକ୍ଷା ବିଭାଗ ତରଫରୁ ପ୍ରତି ଛାତ୍ର ଛାତ୍ରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ଯାହାକୁ ଦେଖାଇ ସେମାନେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ।

ସେପଟେ ସ୍କୁଲ ପରିସର, ପାଇଖାନାକୁ ବିଶେଷଭାବେ ସାନିଟାଇଜ କରିବା ସହ ପରିସ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କ୍ଲାସ ଆରମ୍ଭ ପୂର୍ବରୁ ଓ କ୍ଲାସ ସରିବା ପରେ ଶ୍ରେଣୀଗୃହଗୁଡିକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କହିରଖୁ କି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାଖା ପାଖି ଦେଢବର୍ଷ ହେବ ସାରା ଦେଶରେ ସ୍କୁଲ ବନ୍ଦ ରହିଛି । ଏହାଫଳରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହୋଇଛି । କରୋନା ସଂକ୍ରମଣ ହାର କମୁଥିବାରୁ ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।