ଆରୋପ ପ୍ରତ୍ୟାରୋପ ସହ ସରିଲା ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ! ମୋଦି କହିଲେ, କଂଗ୍ରେସର ଚାରି ପୀଢିକୁ ଚା’ବାଲାର ୪ବର୍ଷ ଭାରି ପଡିବ । 

143

କନକ ବ୍ୟୁରୋ : ପାଖେଇ ଆସୁଛି ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗାନା ବିଧାନସଭା ନିର୍ବାର୍ଚନ  । ଆଜି ମଧ୍ୟପ୍ରଦେଶ ଓ ମିଜୋରାମ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବାବେଳେ ଦିନକ ପରେ ହେବ ଭୋଟ ଗ୍ରହଣ । ସେହିପରି ଡିସେମ୍ବର ୭ରେ ରାଜସ୍ଥାନରେ ହେବ ଭୋଟ ଗ୍ରହଣ । ତେବେ ନିର୍ବାଚନ ପୂର୍ବରୁ ବଢ଼ିବାରେ ଲାଗିଛି ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ  । ନେତାମାନଙ୍କ ଅମାନିଆ ତୁଣ୍ଡ ଲଗାମହୀନ ହୋଇଯାଇଛି । କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିବା ପରେ ସେ ଆଜି କଡା ଜବାବ ରଖିଛନ୍ତି  । ଅନ୍ୟପଟେ ବିଗୁଡୁଥିବା ପରିସ୍ଥିତିକୁ ନଜରରେ ରଖି କହିବାବେଳେ ସଂଜମତା ପ୍ରଦର୍ଶନ କରିବା ପାଇଁ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ରାହୁଲ ।

ପାଖେଇ ଆସୁଛି ନିର୍ବାଚନ । ବଢ଼ୁଛି ବ୍ୟକ୍ତିଗତ ଆକ୍ଷେପ,ପ୍ରତିଆକ୍ଷେପ । ମଧ୍ୟପ୍ରଦେଶ, ମିଜୋରାମ ଓ ରାଜସ୍ଥାନ ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ ପ୍ରଚାର କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମସଜିଦ, ମନ୍ଦିରରୁ ପୂଜାର୍ଚ୍ଚନା କରି ପ୍ରଚାର କରିଛନ୍ତି । ତେବେ ଏହି ପ୍ରଚାର ଭିତରେ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସେତିକି ସେତିକି ବ୍ୟକ୍ତିଗତ ଆକ୍ଷେପ ବଢ଼ିବାରେ ଲାଗିଛି । କଂଗ୍ରେସର ପୂର୍ବତନ ମନ୍ତ୍ରୀ ବିଲାଶ ରାଓ ମୁଟମେୱାରଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ମୋଦି । କହିଛନ୍ତି ରାଜନୀତି ଭିତରକୁ ମୋ ମାଆ ଓ ମରିଯାଇଥିବା ବାପାଙ୍କୁ କାହିଁକି ଟାଣୁଛି କଂଗ୍ରେସ । କଂଗ୍ରେସର ଚାରି ପୀଢିକୁ ଚା’ବାଲାର ୪ବର୍ଷ ଭାରି ପଡିବ । 

ଅନ୍ୟପଟେ ରାଜସ୍ଥାନରେ ପ୍ରଚାରବେଳେ ରାହୁଲ କଂଗ୍ରେସ ନେତାମାନଙ୍କୁ  ସଂଜମତା ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି କହିଲାବେଳେ ଶିଷ୍ଟାଚାରର ସହ କୁହନ୍ତୁ । ଆପଣମାନେ କଂଗ୍ରେସର ସିପାହୀ , ବିଜେପି ବା ଆରଏସଏସର ନୁହେଁ । ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସର ଅମାନିଆ ନେତାଙ୍କ ତୁଣ୍ଡରେ କିଭଳି ଲଗାମ ଦେବେ ତାହା ରାହୁଲଙ୍କ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି ।