ଶିବରାଜ ସିଂଙ୍କ କାମ ଉପରେ ଭରସା କରିପାରୁନାହିଁ କି ବିଜେପି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୩ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ବିଧାନସଭା ଟିକେଟ

163

କନକ ବ୍ୟୁରୋ : ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନୂଆ ରଣନୀତି ଆରମ୍ଭ କରିଦେଇଛନ୍ତି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ବିଜେପି ଯେଉଁ ରଣନୀତି ଆପଣାଇଥିଲା ତାହା ମଧ୍ୟପ୍ରଦେଶରେ ଦୋହରାଇଛି । ଯେଉଁ ଯେଉଁ ଆସନରେ ବିଜେପି କଂଗ୍ରେସକୁ ଟକ୍କର ଦେବାରେ ବିଫଳ ହୋଇଥିଲା ସେହିସବୁ ଆସନରେ ଏବେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବ ଦଳ । ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ତରଫରୁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ୩ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ରହିଛି । ନରେନ୍ଦ୍ରସିଂ ତୋମର, ଫଗନ ସିଂ କୁଲସ୍ତେ ଓ ପ୍ରହ୍ଲାଦ ପଟେଲଙ୍କୁ ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି । କେବଳ ସେତିକି ନୁହେଁ ୭ ଜଣ ସାଂସଦଙ୍କୁ ମଧ୍ୟ ଟିକେଟ ଦେଇଛି ବିଜେପି । ବିଜେପି ଆଶା କରିଛି କି ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ପ୍ରାର୍ଥୀଙ୍କ ପ୍ରଭାବ ନିଜ ନିର୍ବାଚନ ମଣ୍ଡଳୀ ସହ ନିକଟତମ ନିର୍ବାଚନ ମଣ୍ଡଳୀ ଉପରେ ପଡିବ ମଧ୍ୟ ।

ବିଜେପି ଜାରି କରିଥିବା ଦ୍ୱିତୀୟ ପ୍ରାର୍ଥୀ ତାଲିକାର ଅଧିକାଂଶ ଆସନ ଏଭଳି ଯେ ଯେଉଁଠି ବିଜେପି ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲା । ସେପଟେ ସୂତ୍ର ସୂଚନା ମୁତାବକ ମଧ୍ୟପ୍ରଦେଶ ବିଜେପିର ନେତା ଓ କର୍ମୀମାନେ ବର୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ଉପରେ ସନ୍ତୁଷ୍ଠ ନାହାଁନ୍ତି । ଏହାକୁ ନଜରରେ ରଖି ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହିଁ । ବିଜେପି ଚାହୁଁଛି ଯେ ବଡ ବଡ ନେତା, କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ପ୍ରାର୍ଥୀ କଲେ ସେମାନେ ନିଜ ନିଜ ଅଞ୍ଚଳରେ ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉଭା ହୋଇପାରିବେ । ଯେଉଁ ରଣନୀତି ବିଜେପି ଉତ୍ତର ପ୍ରଦେଶ ଓ ହରିଆଣା ବିଧାନସଭା ନିର୍ବାଚନ ବେଳେ ପ୍ରୟୋଗ କରିଥିଲା ।

ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମେ ୩୭ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୭୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସୂଚନା ଥାଉକି ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ ଆସନ ରହିଛି ।