ନିର୍ବାଚନ ପୂର୍ବରୁ ବଢ଼ିଲା ଭତ୍ତା । ବୟସ୍କ, ଦିବ୍ୟାଙ୍ଗ ଓ ବିଧବାଙ୍କ ପାଇଁ ଖୁସି ଖବର । ମଧୁବାବୁ ପେନସନକୁ ୧୦୦୦ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର ।

167

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ନବୀନ ପଟ୍ଟନାୟକ । ଭତ୍ତା ବୃଦ୍ଧି ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଆଗକୁ ନିର୍ବାଚନ ଆସୁଥିବା ବେଳେ ମଧୁବାବୁ ପେନସନ୍ ଯୋଜନା ରାଶି ବଢ଼ାଇଛନ୍ତି । ପ୍ରତିବର୍ଗ ପାଇଁ ୫ଶହ ଟଙ୍କା ବୃଦ୍ଧି କରାଯାଇଛି । ପ୍ରାୟ ୩୭ଲକ୍ଷ ହିତାଧିକାରୀ ଥିବାରୁ ଆଗାମୀ ନିର୍ବାଚନରେ ଏହା ସରକାରଙ୍କୁ ଫାଇଦା ଆଣିଦେଇପାରେ । ସେପଟେ ସରକାରଙ୍କ ନିଷ୍ପତ୍ତିିକୁ ସ୍ୱାଗତ କରିଛନ୍ତି ହିତାଧିକାରୀ ।

ନିର୍ବାଚନ ପୂର୍ବରୁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ । ପ୍ରାୟ ୩୭ଲକ୍ଷ ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କୁ ବଡ ଉପହାର ଦେଇଛନ୍ତି । ଅନେକ ଦାବି ଓ ପ୍ରସ୍ତାବ ପରେ ମଧୁବାବୁ ପେନସନ ଯୋଜନାରେ ୫ଶହ ଟଙ୍କା ବୃଦ୍ଧି କରିଛନ୍ତି । ଅର୍ଥାତ ସର୍ବନିମ୍ନ ପେନସନ୍ ରାଶି ୧୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୦ରୁ ୨୫ତାରିଖ ମଧ୍ୟରେ ବର୍ଦ୍ଧିତ ପେନସନ୍ ମିଳିବ ।

ମଧୁବାବୁ ପେନସନ୍ କେତେ ଥିଲା, କେତେ ମିଳିବ?
– ୫ଶହ ଟଙ୍କା ପାଉଥିଲେ ସେମାନଙ୍କୁ ୧୦୦୦ ଟଙ୍କା ମିଳିବ
– ୭ଶହ ଟଙ୍କା ପାଉଥିଲେ ସେମାନଙ୍କୁ ୧୨ଶହ ଟଙ୍କା ମିଳିବ
– ୯ଶହ ଟଙ୍କା ପାଉଥିବା ହିତାଧିକାରୀଙ୍କୁ ୧୪ଶହ ଟଙ୍କା ମିଳିବ
ଏହି ବର୍ଦ୍ଧିତ ପେନସନ ରାଶି ପାଇଁ ରାଜ୍ୟ ସରକାର ୩୬ଶହ ୮୩କୋଟି ଟଙ୍କା ଖର୍ଚ୍ଚ କରିବେ । ମୋଟ ୩୬ଲକ୍ଷ ୭୫ହଜାର ହିତାଧିକାରୀ ସିଧାସଳଖ ଲାଭ ପାଇବେ ।

ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ୍ ବ୍ୟବସ୍ଥା କରିଛନ୍ତି । ଏଥିରେ ବରିଷ୍ଠ ନାଗରୀକ, ବିଧବା, ଭିନ୍ନକ୍ଷମ ଓ ଅବିବାହିତା ମହିଳା, କୁଷ୍ଠରୋଗୀ, ଏଡସ୍ ରୋଗୀ, ଟ୍ରାନ୍ସଜେଣ୍ଡର, କୋଭିଡ୍ ଦ୍ୱାରା ଅନାଥ ପିଲା ରହିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ପରେ, ହିତାଧିକାରୀ ଖୁସି ଜାହିର କରିଛନ୍ତି ।