ଦେଶରେ ବ୍ୟାନ୍ ହେଲା ବିଟକଏନ ସମେତ ଅନ୍ୟ ଘରୋଇ କ୍ରିପ୍ଟୋକରେନ୍ସି । ନିଜସ୍ୱ ଡିଜିଟାଲ କରେନ୍ସି ଆଣିବ ଭାରତ ।

1,126

କନକ ବ୍ୟୁରୋ : ଭାରତ ଆଣିବ ନୂଆ ଡିଜିଟାଲ କରେନ୍ସି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏବେ କିନ୍ତୁ ଯେଉଁ କ୍ରିପ୍ଟୋକରେନ୍ସି ଚାଲିଛି ତାକୁ ଦେଶରେ ବ୍ୟାନ କରାଯିବ । ଏଥିପାଇଁ ଶୀତକାଳୀନ ଅଧିବେଶନରେ ଏ ନେଇ ସରକାର ବିଲ୍ ଆଣିବେ ।

ବ୍ୟାନ ହେବ ପ୍ରଚଳିତ କ୍ରିପ୍ଟୋକରେନ୍ସି । ଡିଜିଟାଲ ଇଣ୍ଡିଆରେ ଆସିବ ଡିଜିଟାଲ କରେନ୍ସି । ସଂସଦର ଶୀତ ଅଧିବେଶନ ପୂର୍ବରୁ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତି ନେଇଛନ୍ତି ସରକାର । ସଂସଦରେ ନିଜସ୍ୱ କ୍ରିପ୍ଟୋକରେନ୍ସି ନେଇ ସରକାର ଆଣିବେ ବିଲ୍ । କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍-୨୦୨୧ ଆଣିବା ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଉ ଏହାକୁ ବଜାରରେ ବଢାଇବା ପାଇଁ ଅନୁକୂଳ ପରିବେଶ ତିଆରି କରାଯିବ ।

ବିଲ୍ ଆଗତ ହେବା ପରେ ସମ୍ପୂର୍ଣ୍ଣ ରୂପରେଖ ଜଣାପଡିବ । ଏବେ ଚାଲିଥିବା ବିଟକଏନ ଏବଂ ଅନ୍ୟାନ୍ୟ ଘରୋଇ କ୍ରିପଟୋ-କରେନ୍ସି ଭାରତରେ ବ୍ୟାନ ହେବାକୁ ଯାଉଛି । ତେବେ ଭାରତରେ ଯେଉଁମାନେ ଏଥିରେ ନିବେଶ କରିଛନ୍ତି, ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ସେମାନେ ହଟିଯିବାକୁ ପରାମର୍ଶ ଦିଆଯାଇଛି ।

ବିଟକଏନ୍ କିମ୍ବା ଅନ୍ୟାନ୍ୟ କ୍ରିପଟୋକରେନ୍ସି ଉପରେ କେନ୍ଦ୍ରୀୟ ବ୍ୟାଙ୍କ କିମ୍ବା ସରକାରଙ୍କ ନିୟନ୍ତ୍ରଣ ନାହିଁ । ଏପରି ସ୍ଥିତି ଭବିଷ୍ୟତରେ ଅଡୁଆ ବଢ଼ାଇବା ଆଶଙ୍କା ଥିବାରୁ ନିଜସ୍ୱ କରେନ୍ସି ଆଣି ଏହାକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।

ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ସତର୍କ କରାଇଦେଇ କହିଛନ୍ତି, କ୍ରିପଟୋ କରେନ୍ସି ସମ୍ପର୍କରେ ଏବେ ଲୋକେ ବିଶେଷ କିଛି ଜାଣିନାହାନ୍ତି । ଆଗାମୀ ଦିନରେ ଲୋକମାନେ ଏହାକୁ ନେଇ ଦ୍ୱନ୍ଦରେ ରହିବେ । ଚିଟଫଣ୍ଡକୁ ନେଇ ଯେପରି ସମସ୍ୟା ଦେଖାଦେଲା, ସେହିଭଳି ଆଗାମୀ ଦିନରେ ଲୋକେ କ୍ରିପଟୋରେ ନିବେଶ କରିଥିିବା ଲୋକେ ହଇରାଣ ହେବେ । କ୍ରିପଟୋକରେନ୍ସି ବ୍ଲକଚେନ ଦ୍ୱାରା ବ୍ୟବହାର ହେଉଥିବାରୁ ଆଗାମୀ ଦିନରେ ବ୍ଲକ ଚେନକୁ ଅଧିକ ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ।

କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତି ପରେ ବିଟକଏନ ସମେତ ଅନ୍ୟାନ୍ୟ କ୍ରିିପଟୋକରେନ୍ସିରେ ପ୍ରାୟ ୨୦ ପ୍ରତିଶତରୁ ଅଧିକ ମୂଲ୍ୟ ହ୍ରାସ ପାଇଛି । ବିଶ୍ୱ ବଜାରରେ ବିଟକଏନର ଲୋକପ୍ରିୟତା ସବୁଠୁ ଅଧିକ ରହିଛି । ଏହା ଉପରେ କୌଣସି ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଭାରତ ଆଣିବାକୁ ଥିବା ନିଜସ୍ୱ କ୍ରିପଟୋକରେନ୍ସି କେତେ ଆଦୃତି ପାଇବ, ଆଗାମୀ ଦିନରେ ଜଣାପଡିବ ।