କୋଭିଡ କଟକଣା ଭିତରେ ଆଜି ଖୋଲିଲା ଘଟଗାଁ ତାରିଣୀ ମନ୍ଦିର: ଦର୍ଶନ ପାଇଁ ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ; ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ନେବା ମନା

ଥରକରେ ଦର୍ଶନ କରିପାରିବେ ୨୫ରୁ ୩୦ ଭକ୍ତ

120

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିିଠୁ ଖୋଲିଛି ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।

ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ , ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।