ଚୈତ୍ର ମାସରେ ଚାଲିଛି ମାଆଙ୍କ ପୂଜା । ଘଟଗାଁରେ ମାଆ ତାରିଣୀଙ୍କ ଚଇତି ପର୍ବ ଆରମ୍ଭ । ସେପଟେ ମାଆ ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ।

176

କନକ ବ୍ୟୁରୋ: ଚୈତ୍ର ମାସରେ ଆରମ୍ଭ ହୋଇଛି ମାଆଙ୍କ ପୂଜା । ବିଭିନ୍ନ ଦେବୀପୀଠ ଗୁଡିକରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି । ଅନ୍ୟପୀଠ ଭଳି ଘଟଗାଁ ମାଆ ତାରିଣୀଙ୍କ ୮୮ତମ ଚଇତି ପର୍ବ ଚାଲିଛି । ପ୍ରାୟ ୭ ଦିନ ବ୍ୟାପି ଚାଲିବ ଏହି ମାଆର ପର୍ବ । ମାଆଙ୍କ ସମସ୍ତ ରୀତିନୀତି ସହ ସୁନାବେଶ କରାଯାଇଛି । ଆଜିଠୁ ୭ ଦିନ ଯାଏ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ବେବେ ମାଆ ।

ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗ ଧ୍ୱନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଚଇତି ପର୍ବ ପାଇଁ ପୀଠରେ ମାଜଣା, ମଙ୍ଗଳଆଳତୀ, ହୋମଯଞ୍ଜ, ଭାଗବତ ପରାୟଣ ଅନୁଷ୍ଠିତ ହେଉଛି । ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଘଟଗାଁ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ଅନ୍ୟପଟେ କାକଟପୁର ମାଆ ମଙ୍ଗଳାଙ୍କ ଚୈତ୍ର ମାସର ତୃତୀୟ ପାଳି ଝାମୁ ଯାତ୍ରା । ରାତି ୨ଟାରୁ ଦ୍ୱାରଫିଟା ପରେ ମାଆଙ୍କ ମହାସ୍ନାନ କରାଯାଇଛି । ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ମଙ୍ଗଳା । ସକାଳ ସାଢ଼େ ୫ଟାରେ ଦ୍ୱାରା ଫିଟା ହୋଇଥିବା ବେଳେ ମାଆଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତଙ୍କୁ ମନ୍ଦିର ଗର୍ଭଗୃହ ଯାଏ ଛଡ଼ା ଯାଉଛି । ମନ୍ଦିର ପରମ୍ପରା ଅନୁସାରେ ଜଣେ ସେବକ କାଳୀ ବେଶରେ ମନ୍ଦିର ପ୍ରବେଶ କରି ବେଢ଼ାରେ ନୃତ୍ୟ ପ୍ରଦର୍ଶନ କରିବେ ।

ଚୈତ୍ର ମାସରେ ମାଆଙ୍କର ପୂଜା ବେଶ ଧୁମଧାମରେ ଚାଲିଥିବା ବେଳେ ପ୍ରତିଦିନ ନୂଆ ନୂଆ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଏନେଇ ଲାଗିଛି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ।