ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦୁଇଟି ସ୍ୱତନ୍ତ୍ର ନୀତି । ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା 

279

କନକ ବ୍ୟୁରୋ: ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ହେଉଛି ରକ୍ଷା ବନ୍ଧନ । ଖାଲି ମଣିଷ ନୁହେଁ ଭଗବାନ ମଧ୍ୟ ସାମିଲ ହୋଇଥାଆନ୍ତି ଏହି ପବିତ୍ର ପରମ୍ପରାରେ । ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଥାଆନ୍ତି ଭଉଣୀ ସୁଭଦ୍ରା । ଏଥିପାଇଁ ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ଚାଲିଛି ପ୍ରଭୁଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତି ।

ରାକ୍ଷୀ ପିନ୍ଧିବେ କାଳିଆ-ବଳିଆ । ଶ୍ରୀମନ୍ଦିରରେ କଳାଠାକୁର ଓ ବଡ ଠାକୁରଙ୍କ ହାତରେ ରାଖୀ ବାନ୍ଧିବେ ଗେହ୍ଲୀ ଭଉଣୀ, ସୁଭଦ୍ରା । ପବିତ୍ର ରକ୍ଷା ବନ୍ଧନରେ ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ପ୍ରସ୍ତୁତି କରି ସାରିଲେଣି ଭଉଣୀ । ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳବଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି ସୁଭଦ୍ରା । ଏଥିପାଇଁ ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ପାଟ ରାଖୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ୪ଟି ରଙ୍ଗର ରାଖୀ ତିଆରି ହେଉଛି । ଏହାସହ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରିଛନ୍ତି ପାଟରା ବିଶୋଇ ସେବାୟତ ।

ହଳଦିଆ, ନାଲି ରଙ୍ଗର ରାଖୀ ଜଗନ୍ନାଥଙ୍କୁ ପିନ୍ଧା ଯାଉଥିବା ବେଳେ ହଳଧର ପିନ୍ଧନ୍ତି  ନେଳି ଓ ବାଇଗଣୀ ରଙ୍ଗର ରାଖୀ । ଗହ୍ମା ପୂର୍ଣ୍ଣିମା ଦିନ ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତମାନେ ରାଖୀ ଓ ଗୁଆମାଳ ମେକାପକୁ ଦେଇଥାଆନ୍ତି । ସିଂହାରି ସେବକମାନେ ମହାପ୍ରଭୁଙ୍କ ରାଖୀ ଲାଗି କରନ୍ତି । ଏହାସହ ଶ୍ରମନ୍ଦିରରେ ବଳଭଦ୍ରଙ୍କ ଜନ୍ମତ୍ସୋବ ନୀତି ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ମହାମାରୀ କରୋନା କଟକଣା ଭିତରେ ନୀତିକାନ୍ତି କରାଯାଉଛି । ସ୍ନାନପୂର୍ଣ୍ଣିମା ରଥଯାତ୍ରା ଭଳି ଶ୍ରୀଜିଉଙ୍କ ରକ୍ଷାବନ୍ଧନ ନୀତି ମଧ୍ୟ ଦେଖିପାରିବେ ନାହିଁ ଶ୍ରଦ୍ଧାଳୁ ।