କନକ ବ୍ୟୁରୋ: କରୋନା ସଂକଟ ଭିତରେ ପଶ୍ଚିମଓଡିଶାବାସୀଙ୍କ ପାଇଁ ଆସିଛି ଏକ ନିରାଶାଜନକ ଖବର । ନୂଆଖାଇ ଅବସରରେ ସମଲେଶ୍ୱରୀ ମନ୍ଦିର ନଆସିବାକୁ ମନ୍ଦିର ଟ୍ରଷ୍ଟ ନିବେଦନ କରିଛି । ଏଥର ନୂଆଖାଇରେ ବନ୍ଦ ରହିବ ସାଧାରଣ ଦର୍ଶନ । ତେଣୁ ମାଆଙ୍କର ପୁରା ରୀତିନୀତି ଫେସବୁକରେ ହେବ ଲାଇବ୍ । ଚଳିତ ବର୍ଷ ନୂଆଖାଇରେ ବାହାରିବନି ନବାନ୍ନ । ତେଣୁ ଏଥର ନୂଆଖାଇ ଅବସରରେ ପଶ୍ଚିମଓଡିଶାବାସୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରରୁ ନବାନ୍ନ ପାଇବାରୁ ବଂଚିତ ରହିବେ ।
ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ କିଛିଟା ଫିକା ପଡିଯାଇଛି ନୂଆଖାଇ ପ୍ରସ୍ତୁତି । ଏଥର ଘରେ ରହି ନୂଆଖାଇ ପାଳନ କରିବେ ପଶ୍ଚିମ ଓଡିଶାବାସୀ । ତଥାପି ବର୍ଷକ ପରେ ଆସିଥିବା ଏହି ପର୍ବକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମ୍ବଲପୁର ସମଲେଶ୍ୱରୀ ମନ୍ଦିରରେ ନବାହ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଏହି ଲଗ୍ନ ଆଧାରରେ ଲୋକମାନେ ନୂଆଖାଇବେ ।
କୃଷିଭିତିକ ପର୍ବ ନୂଆଖାଇ ପାଇଁ ନୂଆଧାନରେ ଚାଉଳରେ ଚୁଡା କରି ନିଜ ଇଷ୍ଟ ଦେବାଦେବୀ ଓ ଗାଁ ଦେବୀଙ୍କ ନିକଟରେ ପୂଜା କରିବା ସହ ପରିବାରର ସମସ୍ତେ ଏକାଠି ବସି ନୂଆ ଅନ୍ନ ଖାଇଥାନ୍ତି । ଏଥର ଆଦିବାସୀମାନେ ସରକାରଙ୍କ କରୋନା କଟକଣା ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ନିଜ ଘରେ ପରିବାର ଲୋକଙ୍କ ସହ ଭେଟ ଘାଟ ଓ ନାଚଗୀତ କରିବା ପାଇଁ କଳାକାର ପ୍ରସ୍ତୁତି କରୁଛନ୍ତି ।