ଦିଅଁ ନାହାନ୍ତି, ଦେଉଳ ଅଛି : ପୂଜା ପାଉଛନ୍ତି ମାଆଙ୍କ ଆସ୍ଥାନ; କେନ୍ଦ୍ରାପଡା ସାତଭାୟାର ସାତବରାହୀ ମନ୍ଦିରରେ ଦେବୀଙ୍କ ଆସ୍ଥାନ ପୂଜା କରୁଛନ୍ତି ଶ୍ରଦ୍ଧାଳୁ

127

କନକ ବ୍ୟୁରୋ : କେନ୍ଦ୍ରାପଡା ରାଜନଗର ବ୍ଲକ ସାତଭାୟାରେ ଶହଶହ ବର୍ଷ ତଳୁ ପୂଜା ପାଉଥିଲେ ମାଆ ପଂଚୁବରାହୀ । ବଂଗୋପସାଗର ଉପକୂଳରେ ପୂର୍ବ ମୁଖା ହୋଇ ଏକ ଛାତ ଘରର ମନ୍ଦିରରେ କଳା ମୁଗୁନି ପଥରରେ ସ୍ଥାପିତ ୫ଗୋଟି ନାରୀ ମୂର୍ତି ହିଁ ପଂଚୁବରାହୀ ଭାବେ ପ୍ରଖ୍ୟାତ । ଗଠନ ଶୈଳୀ ଦୃଷ୍ଠିରୁ ପାରମ୍ପାରିକ ଦେବୀ ମୂର୍ତିମାନଙ୍କ ଠାରୁ ପଂଚୁବରାହିଙ୍କ ମୂର୍ତି ଭିନ୍ନ ବୋଲି କୁହାଯାଏ ।

ବଂଗୋପସାଗର ଉପକୂଳରେ ଶହଶହ ବର୍ଷ ତଳୁ ସାତଭୟାରେ ପୂଜା ପାଉଥିଲେ ମାଆ ପଂଚୁବରାହୀ । ସମୁଦ୍ର ଧିରେଧିରେ ସାତଭାୟାକୁ ନିଜ ଗର୍ଭକୁ ନେଇ ଯିବାରୁ ଏଠାକାର ଲୋକଙ୍କୁ କେନ୍ଦ୍ରାପଡା ରାଜନଗରର ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ସେମାନଙ୍କ ଆରାଧ୍ୟ ଦେବୀ ପଂଚୁବରାହିଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଛି । ୨୦୧୮, ଏପ୍ରିଲ ୨୦ ତାରିଖରୁ ମାଆଙ୍କ ପୁରୁଣା ମନ୍ଦିରରେ ଆଉ ମାଆଙ୍କ ପ୍ରତିମା ନାହିଁ । ବଗପାଟିଆରେ ଭବ୍ୟ ମନ୍ଦିରରେ ମାଆଙ୍କ ପୂଜା କରାଯାଉଛି । କିନ୍ତୁ ଏବେ ବି ପୁରୁଣା ମନ୍ଦିରରେ ଦେବୀଙ୍କ ଆସ୍ଥାନକୁ ପୂଜା କରି ଆସୁଛନ୍ତି ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି । ଆଉ ମନ୍ଦିରରୁ ଦେବୀଙ୍କୁ ସ୍ଥାନାନ୍ତର କରାଯିବା ପରେ ସମୁଦ୍ର ବାଲିରେ ମନ୍ଦିର ପୋତି ହୋଇଯାଇଛି । ମନ୍ଦିର ଭିତରେ ଓ ବାହାରେ ବାଲି ଜମି ଯାଇଛି ।

ମାଆଙ୍କ ପୁରୁଣା ଆସ୍ଥାନକୁ ଲୁଗା ପିନ୍ଧାଇ, ଶଙ୍ଖା, ସିନ୍ଦୁର, ଫୂଲମାଳ ଦେଇ ପୂଜାର୍ଚ୍ଚନା କରାଯାଉଛି । ସାତଭାୟା ଆସୁଥିବା ଶ୍ରଦ୍ଧାଳୁମାନେ ଦିଅଁ ନଥିବା ଦେଉଳକୁ ଯାଇ ଦୀପ, ଧୂପ ଲଗାଇ ମାଆଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରୁଛନ୍ତି । ସାତଭାୟାରେ ଜନବସତି ନଥିଲେ ବି ୪ ପରିବାର ରହୁଛନ୍ତି । ପ୍ରଫୁଲ୍ଲ ଲେଙ୍କା ନାମକ ବ୍ୟକ୍ତି ମାଆଙ୍କ ପୂଜା କରିବା ସହ ସେଠାରେ ମହିଁଷି, ଛେଳି ରଖି ରହୁଛନ୍ତି । ପ୍ରଫୁଲ୍ଲଙ୍କ କହିବା କଥା ହେଲା ୩୦ ବର୍ଷ ଧରି ମାଆଙ୍କ ପୂଜା ପାଇଁ ତାଙ୍କ ଘରୁ କ୍ଷୀର ଦିଆଯାଉଥିଲା । ମାଆ ସ୍ଥାନାନ୍ତରୀତ ହୋଇଯିବା ପରେ ମାଆଙ୍କ ପୁରୁଣା ମନ୍ଦିରରେ ୬ମାସ ପୂଜାର୍ଚ୍ଚନା ହୋଇନଥିଲା । କିନ୍ତୁ ମାଆଙ୍କ ସ୍ୱପ୍ନାଦେଶ ପରେ ୨ ବର୍ଷ ହେବ ପୁଣି ପୂଜାର୍ଚ୍ଚନା କରାଯାଉଛି ।

ବରାହମୁଖଯୁକ୍ତା ପଂଚ କନ୍ୟାଙ୍କୁ ହିଁ ପଂଚୁବରାହୀ କୁହାଯାଏ । ଏଠାରେ ମାଆ ପାଟ୍ଟକୁମାରୀ, ପରେ ପଂଚୁବରାହୀ, କମଳୀ, ବିମଳୀ ଓ ଜଞ୍ଜାଳୀଙ୍କୁ ପୂଜା କରାଯାଏ । ସାତଭାୟା ପୀଠରେ ପୂଜା ପାଉଥିବା ବରାହମୁଖୀ ଦେବୀଙ୍କ ସହିତ ଆଳିର ବରାହଜୀଉ ଓ ଯାଜପୁରର ମାଆ ବିରଜାଙ୍କ ସାମଞ୍ଜସ୍ୟ ରହିଛି ବୋଲି କୁହାଯାଏ । ଏହି ମନ୍ଦିରରେ ବ୍ରାହ୍ମଣମାନଙ୍କ ପରିବର୍ତେ କୈବର୍ତ ସଂପ୍ରଦାୟର ସଧବା ନାରୀମାନେ ହିଁ ମାଆଙ୍କ ପୂଜାର୍ଚ୍ଚନା କରିଥାନ୍ତି ।