କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବାରଗାଁର ଅଧିଷ୍ଠାତ୍ରୀ ଦେବୀ ଭାବରେ ମା’ମାଟିଆ ମଙ୍ଗଳା ପୂଜା ପାଉଛନ୍ତି । ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ସଙ୍ଗମସ୍ଥଳୀ ନିକଟରେ ମାଆଙ୍କ ମନ୍ଦିର ରହିଛି । ପୂର୍ବରୁ ମାଆ ମାଟିଘରେ ପୂଜା ପାଉଥିବା ବେଳେ ଏବେ ବର୍ଣ୍ଣାଢ୍ୟ ମନ୍ଦିରରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଏହି ପୀଠର ବିଶୈଷତ୍ୱ ହେଉଛି ଏଠାରେ ବ୍ରାହ୍ମଣଙ୍କ ପରିବର୍ତ୍ତେ ରାଉଳମାନେ ମା’ଙ୍କର ପୂଜାର୍ଚ୍ଚନା କରିଥାନ୍ତି । କୁହାଯାଏ, ୧୫୬୮ ମସିହା ପୂର୍ବରୁ ମାଆ ମାଟିଆ ମଙ୍ଗଳା ଏଠାରେ ପୂଜା ପାଉଛନ୍ତି । ମାଆ ମଙ୍ଗଳାଙ୍କ ଆଜ୍ଞାରେ ବାରଗାଁର ୧୨ଟି ଗାଁରେ ଧାନ କୁଟିବା ପାଇଁ ଲୋକମାନେ ଢିଙ୍କି ପରିବର୍ତ୍ତେ ପାହୁରାଣୀ ବ୍ୟବହାର କରନ୍ତି ।

Advertisment

ଲୋକକଥା ଅନୁଯାୟୀ ଦିନେ ଶଙ୍ଖା ବିକ୍ରି ପାଇଁ ବାରଗାଁକୁ ଆସିଥାନ୍ତି ଜଣେ ବୁଢ଼ା ଶଙ୍ଖାରୀ । ଉଦୁଉଦୁଆ ଖରାବେଳେ ଜଣେ ଝିଅ ତାଙ୍କ ପାଖରୁ କିଛି ଶଙ୍ଖା ରଖିଲେ । ଶଙ୍ଖାରି ପାଉଣା ମାଗିବାରୁ ସେ କହିଲେ ଏହି ଗାଁ ଶେଷ ମୁଣ୍ଡରେ ଶ୍ରୀମନ୍ତ ରାଉଳଙ୍କ ଘର । ସେ ତାଙ୍କ ବାପା । ତାଙ୍କ ପାଖରୁ କଉଡି ନେଇଯିବେ । ଏହା ଶୁଣି ବୁଢା ଶଙ୍ଖାରୀ ଶ୍ରୀମନ୍ତ ରାଉଳ ଘରେ ପହଁଚି କଉଡ଼ି ମାଗିବାରୁ ଆଶ୍ଚର୍ଯ୍ୟ ହୋଇଗଲେ ଗାଁ ଲୋକେ । କାରଣ ଶ୍ରୀମନ୍ତ ରାଉଳ ବାହା ହୋଇନଥିଲେ, ତାଙ୍କର ଝିଅ ଆସିବ କେଉଁଠୁ । ସେହି ଝିଅକୁ ଖୋଜି ଖୋଜି ଗାଁର ଲୋକମାନେ ସେହି ସ୍ଥାନରେ ପହଁଚି ଦେଖନ୍ତି, ସେଠାରେ ସ୍ୱୟଂ ମା’ମଙ୍ଗଳା ଶଙ୍ଖା ପିନ୍ଧି ଆବିର୍ଭାବ ହୋଇଛନ୍ତି । ସେବେଠାରୁ ମା’ମାଟିଆ ମଙ୍ଗଳା ନାମରେ ମାଆ ପୂଜା ପାଇ ଆସୁଛନ୍ତି ।

ପ୍ରତିଦିନ ମାଆଙ୍କ ପୀଠକୁ ଓଡିଶାର କୋଣ ଅନୁକୋଣରୁ ଛୁଟି ଆସିଥାନ୍ତି ଶ୍ରଦ୍ଧାଳୁ । ବିଷୁବ ସଂକ୍ରାନ୍ତି ଦିନ ଏହି ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ମାଆଙ୍କ ପୀଠରେ ସକାଳ ଭୋଗ ସହ ମଧ୍ୟାହ୍ନରେ ଖିରି, ଖେଚୁଡି ଓ ଆମିଷ ଭୋଗ ମାଆଙ୍କ ପାଖରେ ଲାଗି ହୁଏ । ପ୍ରତ୍ୟେକ ମଙ୍ଗଳବାର ଦିନ ମାଆଙ୍କୁ ପୋଡପିଠା ଭୋଗ ଦିଆଯାଏ । ପ୍ରଥମାଷ୍ଟମୀରେ ମାଆ ନୂଆ ଲୁଗା ପିନ୍ଧି ପୋରୁହାଁ ହୋଇଥାନ୍ତି । ଭକ୍ତି ଭାବ ନେଇ ମାଆଙ୍କୁ ଯିଏ ଯାହା ମାଗିଛି, ତାର ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତେବେ ଏହି ଶକ୍ତିପୀଠକୁ ଦେଖିଲେ ଏହା ଅବହେଳିତ ହୋଇ ରହିଥିବା ଜଣାପଡ଼େ । ସରକାର ଏହି ଶକ୍ତିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଲେ ଏହାର ଭିତ୍ତିଭୂମି ଆହୁରି ବିକାଶିତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।