ମୂର୍ତ୍ତି ଉଚ୍ଚତା ବିବାଦ : ଆଜି ଆସିପାରେ ହାଇକୋର୍ଟଙ୍କ ରାୟ

ନିଜ ନିଜ ଜିଦରେ ଅଟଳ ସରକାର ଓ କଟକ ପୂଜା କମିଟି; ପୂଜା ପାଖେଇ ଆସୁଥିବାରୁ କୋର୍ଟଙ୍କ ଆଭିମୁଖ୍ୟ ଉପରେ ରହିଛି ସମସ୍ତଙ୍କ ନଜର 

119

କନକ ବ୍ୟୁରୋ : ଦୁର୍ଗା ପୂଜା ଯେତିକି ପାଖେଇ ଆସୁଥିବା ବେଳେ ମୂର୍ତ୍ତି ଉଚ୍ଚତା ଉପରୁ କଟକଣା ହଟାଇବା ଦାବି ତେଜିବାରେ ଲାଗିଛି । ଆଉ ଏହାରି ଭିତରେ ବିବାଦ ହାଇକୋର୍ଟ ପହଂଚିଥିବାରୁ କୋର୍ଟଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ହାଇକୋର୍ଟ ଶୁଣାଣି କରିଥିବା ବେଳେ ଆଜି ପରବର୍ତ୍ତୀ ଶୁଣାଣି ଥିବାରୁ ଚୂଡାନ୍ତ ରାୟ ଆସିପାରେ ବୋଲି ଆଶା କରାଯାଉଛି । ପୂଜା ପାଖେଇ ଆସୁଥିବାରୁ ମାମଲାର ଶୁଣାଣି କରି ରାୟ ଦେଇପାରନ୍ତି ହାଇକୋର୍ଟ ।

ଗତକାଲି ମାମଲାର ଶୁଣାଣି କରି ଉଚ୍ଚତା କମିଲେ କ’ଣ ସମସ୍ୟା ଉପୁଜିବ ବୋଲି ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କ ଓକିଲ କହିଛନ୍ତି, ସମସ୍ୟାର କଥା ନୁହେଁ, ଏହା ହେଉଛି ଭାବାବେଗର କଥା । ଏପଟେ ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ ଏହି ନିୟମ କେବଳ କଟକ ପାଇଁ ହୋଇନାହିଁ, ନିୟମ ହୋଇଛି ସାରା ଓଡ଼ିଶା ପାଇଁ । ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ କଟକର ପୂଜା କମିଟି ଓ ଅନ୍ୟ ସାମାଜିକ ସଂଗଠନଗୁଡିକ ଏହାକୁ ବିରୋଧ କରୁଛନ୍ତି । ନିରବ ପ୍ରତିବାଦ, ଅନଶନ ଆଦି କରି ମୂର୍ତ୍ତି ଉଚ୍ଚତା ଉପରେ ଲାଗିଥିବା କଟକଣା ହଟାଇବାକୁ ଦାବି କରୁଛନ୍ତି ।

ପାର୍ବଣରେ କୋଭିଡ ନିୟମ ପାଳନ ନକଲେ କେରଳରେ ଓନମ ପରେ ଯେଉଁ ସ୍ଥିତି ହେଲା, ସେହିପରି ଓଡ଼ିଶାର ସ୍ଥିତି ହେବା ଆଶଙ୍କା କରି ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ସରକାରଙ୍କ ଯୁକ୍ତି ହେଉଛି, ମୂର୍ତ୍ତିର ଉଚ୍ଚତା ବଢ଼ିଲେ ସଂସ୍ଥାପନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ଅଧିକ ଲୋକଙ୍କ ଆବଶ୍ୟକ ହେବ । ଲୋକ ମଧ୍ୟ ପୂଜା ପେଣ୍ଡାଲରେ ଭିଡ଼ କରିବେ । ସରକାର ଓ ପୂଜା କମିଟି ନିଜ ନିଜ ଜିଦରେ ଅଟଳ ରହିଥିବାରୁ ହାଇକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ରହିଛି ।