ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା । ପୂଜାର୍ଚ୍ଚନା ପରେ ଅନୁଭୂତି ବଖାଣିଲେ ଯାଜପୁର ଜିଲ୍ଲାପାଳ । କହିଲେ, ମରଣ ମୁହଁରୁ କିପରି ତାଙ୍କୁ ବଂଚାଇ ଦେଲେ ମା’

1,514

କନକ ବ୍ୟୁରୋ: ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା । ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଆଜି ବିରଜା ମନ୍ଦିରରେ ମା’ ବିରଜାଙ୍କ ଜନ୍ମୋତ୍ସବ ପାଳନ ହେଉଛି । ମା’ଙ୍କ ମହାସ୍ନାନ କରାଯିବା ସହ ସାବିତ୍ରୀ ବେଶରେ ମା’ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଏହାରି ଭିତରେ ଯାଜପୁର ଜିଲ୍ଲାପାଳ ମନ୍ଦିରରେ ପହଂଚି ମାଙ୍କ ପୂଜାର୍ଚ୍ଚନା ପରେ ଅନୁଭୂତି ବଖାଣିଛନ୍ତି । ମରଣ ମୁହଁରୁ କିପରି ବଂଚାଇଦେଲେ ମା’ ସେନେଇ ନିଜ ଅନୁଭୂତି କହିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳଙ୍କ କହିବା ଅନୁସାରେ, ମୁଁ ସଂପୂର୍ଣ୍ଣ ରୂପେ ନାସ୍ତିକ ଥିଲି । କେତେବେଳେ କୌଣସି ମନ୍ଦିରକୁ ଯାଏନି । କିନ୍ତୁ ଯାଜପୁରକୁ ଆସିବା ପରେ ଇଶ୍ୱରଙ୍କ ପ୍ରତି ପ୍ରଥମ ଥର ପାଇଁ ମୋ ମନରେ କିଛି ଅଲଗା ପ୍ରକାର ଅନୁଭବ ସୃଷ୍ଟି ହୋଇଥିଲା । ଆଉ ଏହି ଅନୁଭବ ଓ ଆକର୍ଷଣ ସେତେବେଳେ ଦୃଢୀଭୂତ ହୋଇଥିଲା ଯେତେବେଳେ ମୋର ଦୁଇ ବର୍ଷ ତଳେ ହୃଦଘାତ୍ ହୋଇଥିଲା ଆଉ ଡାକ୍ତରମାନେ ବି କହିଦେଇଥିଲେ କି ମୋର ବଂଚିବାର ଆଶା ଖୁବ୍ କମ୍ ବୋଲି । କିନ୍ତୁ ମାଆ ବିରଜାଙ୍କ କୃପାରୁ ସେଦିନ ମୁଁ ମରଣ ମୁହଁରୁ ବଂଚି ଫେରିଆସିଥିଲି ବୋଲି ମାଆଙ୍କ ଜନ୍ମୋତ୍ସବ ଅବସରରେ ନିଜ ଅନୁଭୂତି ବଖାଣିଛନ୍ତି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାଶ ।

ବିଶ୍ୱାସ ରହିଛି ବ୍ରହ୍ମା ଯେତେବେଳେ ପାପରୁ ମୁକ୍ତି ହେବା ପାଇଁ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଯଜ୍ଞ କରୁଥିଲେ ସେତେବେଳେ ମା ସେହି ଯଜ୍ଞ କୁଣ୍ଡରୁ ଆର୍ବିଭୃତ ହୋଇ ନିଜକୁ ମା ବିରଜା ବୋଲି ପରିଚୟ ଦେଇଥିଲେ । ମା ବିରଜା ଦ୍ୱିଭୁୁଜା ଭାବେ ପୂଜା ପାଇଥାନ୍ତି ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ଅନ୍ୟ ଦେବା ଦେବୀଙ୍କର ସଂପୁର୍ଣ୍ଣ ଶରୀରକୁ ଭକ୍ତ ବା ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି କିନ୍ତୁ ଏଠି କେବଳ ମାଙ୍କ ମୁଖକୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଶ୍ର୍ଦ୍ଧାଳୁ ।